ଓଡିଶା

odisha

By

Published : Sep 14, 2019, 10:16 AM IST

ETV Bharat / state

ବିଚାର ନାଁରେ ବୀଭତ୍ସ ହତ୍ୟାକାଣ୍ଡ: ମା’- ଝିଅକୁ ମାରି ନଦୀରେ ଫିଙ୍ଗି ଦେଲେ ଗାଁଲୋକେ

ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡରେ ଘଟିଛି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଡାହାଣୀ ସନ୍ଦେହରେ ମା’ ଝିଅକୁ ମାରିଦେଲେ ଗାଁଲୋକେ । ଯାହା ଏବେ ଆଲୋଡନ ସୃଷ୍ଟି କରିଛି ।

ଡିଜାଇନ ଫଟୋ

ରାଉରକେଲା: ଚନ୍ଦ୍ରଯାନ ମିଶନ ପାଇଁ ସାରା ବିଶ୍ବରେ ଭାରତ ବାଃ ବାଃ ସାଉଁଟିଥିବାବେଳେ ଏପଟେ ଅନ୍ଧବିଶ୍ବାସର ଅନ୍ଧ ଗଳିରୁ ମୁକୁଳି ପାରିନି ସମାଜ । ମଣିଷ ସମାଜକୁ ଦୋହଲାଇ ଦେବା ଭଳି ଏକ ନିନ୍ଦନୀୟ ଘଟିଛି ସୁନ୍ଦରଗଡ ଜିଲ୍ଲାର ବଣାଇଁ ଉପଖଣ୍ଡର ଅନ୍ତର୍ଗତ ଗାଇଗେଡା ଗାଁର ରାବଣ ଝୋଲା ବସ୍ତିରେ। ଡାହାଣୀ ସନ୍ଦେହରେ ମା ଓ 5 ବର୍ଷର ଝିଅକୁ କରାଯାଇଛି ନିର୍ମମ ହତ୍ୟା । ସ୍ତ୍ରୀ ଓ ପିଲାକୁ ହିଂସ୍ର ରାକ୍ଷସମାନେ ଝୁଣି ମାରୁଥିବାବେଳେ ନାଚାର ହୋଇପଡିଥିଲା ସ୍ବାମୀ । ଯେଉଁ ଘଟଣା ସାମ୍ନାକୁ ଆସିବା ପରେ ଆଲୋଡନ ଖେଳିଯାଇଛି ।

ତାରିଖ ଥିଲା ସେପ୍ଟେମ୍ବର 9 । ଶାନ୍ତିରେ ଚାଲିଥିବା ଗାଁଟି ହଠାତ୍ ଅଶାନ୍ତ ହୋଇପଡିଥିଲା । କାରଣ ଅନ୍ଧଗଳିରେ ପଶିଥିବା ଗାଁ ଲୋକଙ୍କ ମୁଣ୍ଡରେ ଚଢିଥିଲା ଅନ୍ଧବିଶ୍ବାସର ଭୂତ । ଗାଁରେ ରହୁଥିବା ବିର୍ସା କେରକେଟାଙ୍କ ପତ୍ନୀ ଗାଙ୍ଗି କେରକେଟାଙ୍କୁ ଡାହାଣୀ ସନ୍ଦେହ କରିଥିଲା ଲୋକେ । ଏହା ପରେ ଗାଁ ଲୋକେ ଡକାଇଥିଲେ ପ୍ରଜାକୋର୍ଟ । ପ୍ରଜାକୋର୍ଟରେ ଗାଙ୍ଗୀ ଡାହାଣ ବୋଲି ପ୍ରମାଣିତ ହେଲେ । ଆଶ୍ଚର୍ଯ୍ୟର କଥା ହେଉଛି ଗାଁ ଲୋକେ ଗାଙ୍ଗୀଙ୍କୁ କେବଳ ଦୋଷୀ ବୋଲି ସାବ୍ୟସ୍ତ କରି ନଥିଲେ ମୃତ୍ୟୁ ଦଣ୍ଡ ବିଧାନ ମଧ୍ୟ କରିଥିଲେ । ପ୍ରଜାକୋର୍ଟର ରାୟ ପରେ ରକ୍ତମୁଖା ପାଲଟିଥିଲେ ଗାଁଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଗାଁଲୋକେ ମିଳିମିଶି ବିର୍ସା ପରିବାର ଲୋକଙ୍କୁ ଅର୍ତିକିତ ଆକ୍ରମଣ କରିଥିଲେ । ଫଳରେ ପ୍ରାଣ ବିକଳରେ ଜୀବନ ବଞ୍ଚାଇ ଜଙ୍ଗଲକୁ ଲୁଚି ପଳାଇଥିଲେ ବିର୍ସା । କିନ୍ତୁ ବିର୍ସାଙ୍କ ସ୍ତ୍ରୀ ଓ ଝିଅ ହିଂସ୍ର ମଣିଷ କବଳରୁ ବର୍ତ୍ତି ପାରି ନଥିଲେ । ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ଉଭୟ ମା ଓ ଝିଅଙ୍କୁ । ଘଟଣା କାଳେ ପ୍ରଘଟ ହୋଇଯିବ ମୃତଦେହକୁ ଜରି ଅଖାରେ ବାନ୍ଧି ନଦୀକୁ ଫୋପାଡି ଦେଇଥିଲେ । ତେବେ ଏନେଇ ଗ୍ରାମରକ୍ଷୀ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ନଦୀରୁ ଗାଙ୍ଗୀଙ୍କୁ ମୃତଦେହ ଉଦ୍ଧାର ହୋଇଥିବାବେଳେ ଝିଅଟିର ମୃତଦେହ ମିଳି ପାରିନାହିଁ । ଏପଟେ ପୋଲିସ ବିର୍ସାକୁ ଡକାଇ ମୃତଦେହ ଚିହ୍ନଟ କରିବା ପରେ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତମାନେ ଫେରାର ଅଛନ୍ତି ।

ଏଭଳି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଛି । ସମାଜ ଆଧୁନିକତାର ଦ୍ବାହି ଦେଉଥିବାବେଳେ ଏପଟେ ଅନ୍ଧବିଶ୍ବାସ ପାଇଁ ଲୋକେ ହତ୍ୟା କରିବାକୁ ପଛାଇ ନାହାଁନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details