ରାଉରକେଲା: ବାଲେଶ୍ୱର ବାହାନଗାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ପାଇଁ ଉତ୍ତରଦାୟିତ୍ୱ ଓ ନ୍ୟାୟ ଦାବିରେ ରାଉରକେଲାରେ ବିଭିନ୍ନ ଦଳର ବିକ୍ଷୋଭ । ଏହି ବିକ୍ଷୋଭ ପ୍ରଦର୍ଶନରେ ଏଗାରଟି ବିରୋଧୀ କଂଗ୍ରେସ, ସିପିଆଇ( ଏମ୍), ଆମ୍ ଆଦମୀ, ଆରଜେଡି ଦଳ ଆଦି ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କେନ୍ଦ୍ର ସରକାର ଦୁର୍ଘଟଣା ପାଇଁ ସମ୍ପୂର୍ଣ୍ଣ ଦାୟୀ ଥିବା କହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । 13ଟି ଦାବି ନେଇ ବିରୋଧୀ ଦଳଗୁଡ଼ିକ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ତତ୍ତ୍ୱବଧାନରେ ଏସ୍ଆଇଟି ଦ୍ୱାରା ତଦନ୍ତ ଦାବି କରିଛନ୍ତି । ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏପରି ଭୟାବହ ଦୁର୍ଘଟଣା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ।
CITU ବରିଷ୍ଠ ନେତା ବିଷ୍ଣୁ ମହାନ୍ତି କହିଛନ୍ତି, "ପ୍ରମୁଖ ଦାବି ହେଉଛି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା । ଏହି ମର୍ମନ୍ତୁଦ ଦୁର୍ଘଟଣା ତାଙ୍କ ବିଭାଗ ଭିତରେ ଅବହେଳାର ପରିଣତି । ସୁପ୍ରିମକୋର୍ଟଙ୍କ ଦ୍ବାରା ସ୍ବଚ୍ଛ ତଦନ୍ତ କରାଯାଉ। ସିବିଆଇ ତଦନ୍ତ ନିର୍ଦ୍ଦେଶକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ସୁପ୍ରିମକୋର୍ଟଙ୍କ ଦ୍ବାରା ସମସ୍ତ ତଦନ୍ତ କରାଯାଉ । ଏହାସହ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି । ସମଗ୍ର ଭାରତୀୟ ରେଳ ବ୍ୟବସ୍ଥାରେ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଜରୁରୀ । ଭିତ୍ତିଭୂମିର ଉନ୍ନତିକରଣ କରାଯାଉ । ରେଳ ଭିତ୍ତିଭୂମିର ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ରେଳ ଭିତ୍ତିଭୂମିର ଉନ୍ନତିକରଣ ଏବଂ ଆଧୁନିକୀକରଣ ପାଇଁ ତୁରନ୍ତ ଧ୍ୟାନ ଏବଂ ପୁଞ୍ଜିନିବେଶ କରିବାକୁ ଦାବି କରୁଛୁ ।"