ସୁନ୍ଦରଗଡ:ଜିଲ୍ଲା ଶିକ୍ଷା ବିଭାଗର ମିଡ୍ ଡେ ମିଲ ବା ମଧ୍ୟାହ୍ନ ଭୋଜନ ଟଙ୍କା ହଡପ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କଲା ସୁନ୍ଦରଗଡ ଟାଉନ ଥାନା ପୋଲିସ । ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶ ଭୋପାଳ ନିବାସୀ ପ୍ରତାପ ସିଂ ଚାୱଲା ବୋଲି ଜଣାପଡିଛି । ସୁନ୍ଦରଗଡ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ୱାରା ମିଡ୍ ଡେ ମିଲ ବ୍ୟବସ୍ଥା ପାଇଁ ଡିପୋଜିଟ୍ କରାଯାଇଥିବା ଟଙ୍କାରୁ ଅଭିଯୁକ୍ତ ଜଣକ 13 ଲକ୍ଷ 11 ହଜାର 390 ଟଙ୍କା ଚଳୁ କରିଥିବା ସୂଚନା ମିଳିଛି । ଆଜି ଏହି ଅଭିଯୁକ୍ତକୁ ଟାଉନ ପୋଲିସ ମଧ୍ୟପ୍ରଦେଶର ଭୋପାଳରୁ ଗିରଫ କରି ସୁନ୍ଦରଗଡ କୋର୍ଟ ଚାଲାଣ କରିଛି । ଗତ 25 ତାରିଖରେ ଭୋପାଳର କୋଲାର ଥାନା ଅନ୍ତର୍ଗତ JMFC କୋର୍ଟରେ ଅଭିଯୁକ୍ତକୁ ହାଜର କରି ଆଜି ସୁନ୍ଦରଗଡ କୋର୍ଟକୁ ଚାଲାଣ କରାଯାଇଛି ।
ସୂଚନାଯୋଗ୍ୟ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଦପ୍ତରରେ କାର୍ଯ୍ୟରତ ଜଣେ କିରାଣୀଙ୍କ ସାମାନ୍ୟ ଭୁଲ ପାଇଁ ଏହି ଟଙ୍କା ଅଭିଯୁକ୍ତର ବ୍ୟାଙ୍କ ଆକାଉଣ୍ଟ (707801010050103 ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ସାଲ୍ଲାଇୟା ଶାଖା , ଭୋପାଳ, ମଧ୍ୟପ୍ରଦେଶ ) ରେ ଜମା ହୋଇଥିଲା । ଏହି ଟଙ୍କା ଶିକ୍ଷା ବିଭାଗରୁ ସୁନ୍ଦରଗଡ ସାଧାରଣ ଯୋଗାଣ ବିଭାଗର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ, ସୁନ୍ଦରଗଡ ଶାଖା ଆକାଉଣ୍ଟକୁ ଯିବା ପରିବର୍ତ୍ତେ ଅଭିଯୁକ୍ତର ଆକାଉଣ୍ଟକୁ ଯାଇଥିଲା । ଦୁଇଟି ଚେକ ଯଥାକ୍ରମେ ଚେକ ନମ୍ବର 357379 ( Rs. 26,93,400 ) ଓ ଚେକ ନମ୍ବର 357380 ( Rs. 22,20,390)ର ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଯାଇଥିଲା ।