ରାଉରକେଲା:ସୁନ୍ଦରଗଡର ଲାଲହାଟିଙ୍ଗ ବସ୍ତିରୁ ଛଅ ବର୍ଷର ଶିଶୁକୁ ଅପହରଣ କରିବା ଘଟଣା । ଟଙ୍କା ଲୋଭରେ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ପୋଲିସର ତଦନ୍ତ ପରେ ଶିଶୁ ପୁତ୍ରଟିକୁ ଉପଖଣ୍ଡ କୋଇଡା ଥାନା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ତିନି ଯୁବକଙ୍କୁ ଗିରଫ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଲାଲହାଟିଂ ବସ୍ତିରୁ ରବିବାର ଜଣେ ୬ ବର୍ଷର ଶିଶୁକୁ ଅପହରଣ କରାଯାଇଥିଲା । ପିଲାଟି ଘର ବାହାରେ ଖେଳୁଥିବା ବେଳେ ଅଭିଯୁକ୍ତମାନେ ଆସି ତାକୁ ଚକୋଲେଟ୍ ଦେବାର ଲୋଭ ଦେଖାଇ ବାଇକ୍ରେ ବସାଇ ନେଇ ଯାଇଥିଲେ। ଏହାପରେ ପରିବାର ଲୋକେ ଶିଶୁଟିକୁ ଖୋଜାଖୋଜି କରିଥିଲେ । କିନ୍ତୁ ଶିଶୁକୁ ନପାଇ ନିରାଶ ହୋଇଥିଲେ ।
ତେବେ ସେହିଦିନ ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ଶିଶୁଟିର ପରିବାର ଲୋକଙ୍କୁ ଫୋନ୍ କରି ଦୁଇ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ଶିଶୁଟିକୁ ଜୀବନରୁ ମାରି ଦେବେ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ପରିବାର ଲୋକେ କୋଇଡା ଥାନାରେ ଅଭିଯୋଗ କରିଥିଲେ। । ପୋଲିସ ଫୋନ୍ କଲ୍ ଟ୍ରାକ କରି ମେଣ୍ଢାମାରୁଣି ଜଙ୍ଗଲରୁ ଶିଶୁଟିକୁ ଗତକାଲି(ସୋମବାର) ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କରିଥିଲା । ଏହାସହ ଅପହରଣ କରିଥିବା ୩ ଜଣ ଯୁବକଙ୍କୁ ଗିରଫ କରିଥିଲା । ଅପହରଣରେ ବ୍ୟବହୃତ ବାଇକ୍କୁ ମଧ୍ୟ ପୋଲିସ ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।