ରାଉରକେଲା: ଭାରତବର୍ଷରେ ଇଂରେଜ ସରକାରଙ୍କ ଶାସନ ଚାଲିଥିବା ସମୟରେ ସ୍ବାଧିନତା ସଂଗ୍ରାମର ବହ୍ନି ଜଳି ଉଠିଥିଲା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ । ଆଉ ସେ ସମୟରେ ଖଜଣା ଆଦାୟକୁ କେନ୍ଦ୍ରକରି ଦେଖା ଦେଇଥିଲା ବିଦ୍ରୋହ । ଯାହା ପରେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଯାଇଥିଲା।
ଏପରି ଘଟଣା ଦେଖିବାକୁ ମିଳିଥିଲା ଜିଲ୍ଲାର ରାଇବଗା ଥାନା ଅନ୍ତର୍ଗତ ସିମକୋ ଗାଁରେ । 1939 ମସିହା ଏପ୍ରିଲ 25 ତାରିଖରେ ଏଠାରେ ଏକତ୍ରୀତ ହୋଇଥିବା ଆଦିବାସୀଙ୍କ ଉପରେ ଆଖିବୁଜା କରାଯାଇଥିଲା ଗୁଳି ଚାଳନା । ଏହାର ପରିଣାମ ସ୍ବରୂପ ଘଟଣାସ୍ଥଳରେ ଟଳି ପଡିଥିଲା 39 ଜଣ ଆଦିବାସୀ । ଏଥିରେ ଆହତ ହୋଇଥିବା ଲୋକ ମଧ୍ୟ ଏଥିରୁ ଆଉ ବଞ୍ଚିନଥିଲେ । ଜଙ୍ଗଲୀ ପଶୁଙ୍କ ଆହାର ହୋଇଯାଇଥିଲେ ସେମାନେ। ଆଜି ମଧ୍ୟ ଏ ଘଟଣା, ଅନ୍ୟ ସ୍ୱାଧିନତା ସଂଗ୍ରାମ ଘଟଣା ଭଳି ଚର୍ଚ୍ଚିତ ଏତେ ନୁହେଁ। ସମୟଚକ୍ରରେ ଏହା ଜନମାନସରେ ଆଲଚନାର ପରିସରଭୁକ୍ତ ହୋଇପାରିନାହିଁ।
ସେତେବେଳର ମୁଖାର୍ଜୀ ସେଟଲମେଣ୍ଟ ଅନୁସାରେ ଖଜଣା ଵୃଦ୍ଧି କରାଯିବ ସହ ଗ୍ରାମବାସୀଙ୍କ ଖୁଟକଟି ସୁବିଧା, ବାଇଥି ବେରୋଜଗାରୀ ସହିତ ଛୋଟନାଗପୁର ଟେଏନ୍ସି ଆକ୍ଟ ଅନୁସାରେ ଆଦିବାସୀଙ୍କୁ ମିଳୁଥିବା ସବୁ ଅଧିକାର 1936 ମସିହାରେ ଛଡାଇ ନିଆ ଯାଇଥିଲା। ଏହାର ପ୍ରତିବାଦରେ ନିର୍ମଳ ମୁଣ୍ଡାଙ୍କ ନେତୃତ୍ବରେ ଆଖପାଖର 36ଟି ମୌଜାର ଲୋକେ ଖଜଣା ଦେବା ବନ୍ଦ କରିବା ସହିତ ସେ ସମୟରେ ଖଜଣା ଦାୟୀତ୍ୱରେ ଥିବା ପଲିଟିକଲ ଏଜେଣ୍ଟ ଠାରୁ ଆରମ୍ଭ କରି ଭାଇସରାୟଙ୍କ ଦ୍ୱାରସ୍ଥ ହୋଇଥିଲେ ଆନ୍ଦୋଳନକୁ ଓହ୍ଲାଇଥିବା ଆଦିବାସୀ । ସେମାନଙ୍କୁ ସହଯୋଗ କରୁଥିଲେ ଜୟପାଲ୍ ସିଂ ମୁଣ୍ଡା । ଗାନ୍ଧୀଙ୍କ ସିଦ୍ଧାନ୍ତରେ ନିଜର ହକ ପାଇଁ ସଂଘର୍ଷ କରୁଥିଲେ ସେମାନେ।
ଆନ୍ଦୋଳନ ଚାଲିଥିବା ସମୟରେ ଦିନେ ସେମାନଙ୍କୁ ଖବର ଦିଆଯାଇ ଥିଲା କି ତାଙ୍କର ଅଭିଯୋଗ ଉପରେ ଯାହା ନିଷ୍ପତ୍ତି ହୋଇଛି ତାକୁ ଜଣାଇବା ପାଇଁ ରାଣୀ ଆସିବେ। 1939 ମସିହା 25 ଏପ୍ରିଲ ତାରିଖରେ ଶହ ଶହ ଲୋକ ନିର୍ମଳ ମୁଣ୍ଡାଙ୍କ ଘରେ ତାଙ୍କ ପରମ୍ପରାଗତ ବାଜା ନେଇ ଉପସ୍ଥିତ ଥିଲେ । ଆଉ ସେ ସମୟରେ ସଶସ୍ତ୍ର ବାହିନୀ ସେଠାକାର ଏକ ଗାଁକୁ ଘେରିଯିବା ସହ ନିର୍ମଳ ମୁଣ୍ଡ କିଏ ବୋଲି ପଚାରି ଥିଲେ। ସେଠାରେ ଉପସ୍ଥିତ ଗ୍ରାମବାସୀ ସମସ୍ତେ ନିଜକୁ ନିର୍ମଳ ମୁଣ୍ଡା ବୋଲି ପରିଚୟ ଦେବା ଯୋଗୁ ଉତ୍ତେଜିତ ହୋଇପଡିଥିବା ସଶସ୍ତ୍ର ବାହିନୀ ଗୁଳିଚାଳନା କରିଥିଲା । ଯାହା ଫଳରେ ଅହିଂସାତ୍ମକ ଉପାୟରେ ଆନ୍ଦୋଳନ କରୁଥିବା ଆଦିବାସୀଙ୍କ ମଧ୍ୟରୁ 39 ଜଣ ଗୁଳି ମାଡରେ ଟଳିପଡିଥିଲେ ।
ଏହା ପରେ ନିର୍ମଳ ମୁଣ୍ଡାକୁ ଗିରଫ କରାଯାଇ ଜେଲରେ ରଖା ଯାଇଥିଲା । ଦେଶ ସ୍ୱାଧୀନ ହେବାପରେ ସେ ଜେଲରୁ ବାହାରି ରାଜନୀତିରେ ପ୍ରବେଶ କରିଥିଲେ । ଏପରିକି ସେତେବେଳର ଝାଡଖଣ୍ଡ ପାର୍ଟିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତାର 25 ବର୍ଷ ପୂର୍ତ୍ତି ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିର୍ମଳ ମୁଣ୍ଡାଙ୍କୁ ସ୍ୱାଧୀନତା ସଂଗ୍ରାମୀ ହେବାର ତାମ୍ରପତ୍ର ଦେଇଥିଲେ। ମାତ୍ର ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳୁଥିବା ସୁବିଧା ତାଙ୍କୁ ମିଳି ନଥିଲା।
1939 ମସିହାରେ ହୋଇଥିବା ଗୁଳିକାଣ୍ଡରେ ମୃତ କିମ୍ବା ଆହତ ହୋଇ ପରେ ପ୍ରାଣ ହରାଥିବା ଲୋକଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ଦାବି ଏପର୍ଯ୍ୟନ୍ତ ରାଜନୈତିକ ଉଦାସୀନତା ଯୋଗୁଁ ଚାପି ହୋଇ ରହିଯାଇଛି ବିଗତ କେତେ ବର୍ଷ ହେବ ଜିଲ୍ଲା ପ୍ରଶାସନ ଏହାର ବର୍ପୂଷର୍ତ୍ତି ପାଳନ କରୁଛି। ରାଜନୈତିକ ତଥା ପ୍ରଭାବଶାଳୀ ଲୋକ ଏହି ଆନ୍ଦୋଳନକୁ ସ୍ୱାଧୀନତା ସଂଗ୍ରାମ ପରିଚୟ ପ୍ରଦାନ ପ୍ରତି ପ୍ରୟାସ କରୁନଥିବା ଦେଖା ଯାଉଛି। ଆଦିବାସୀଙ୍କ ବିକାଶ କରୁଥିବା ନେଇ ଡିଣ୍ଡିମ ପିଟୁଥିବା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଏ ଦିଗରେ ଚୁପ ରହିବ ଆଶ୍ଚର୍ଯ୍ୟର କଥା।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ