ରାଉରକେଲା: ଗୁଳିମାଡ଼ କରି ଅଢ଼େଇ ଲକ୍ଷ ଟଙ୍କା ଲୁଟ୍ । ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ହୁରମେଇ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗ୍ରାମର ବସନ୍ତ ବାରା ନିଜ ଘରେ କରିଥିବା ଜନସେବା କେନ୍ଦ୍ରରେ ଫଟୋ ଉଠାଇବା ବାହାନରେ ଆସିଥିଲେ ଦୁର୍ବୁତ୍ତ। ମୁହଁ ଧୋଇଲେ ଫଟୋ ଭଲ ଆସିବ ବୋଲି କହି ମୁହଁ ଧୋଇବା ପାଇଁ ବସନ୍ତଙ୍କ ଘରେ ପ୍ରବେଶ କରିଥିଲେ ଦୁର୍ବୁତ୍ତ। ଏନେଇ ଘର ଭିତରକୁ କାହିଁକି ଯାଉଛ ବୋଲି ବସନ୍ତ ପଚାରିବାରୁ ତିନି ଜଣ ଦୁର୍ବୁତ୍ତ ମାନଙ୍କ ସହ ଝଗଡ଼ା ଆରମ୍ଭ ହୋଇଥିଲା । ଝଗଡ଼ା ହେବା ପରେ ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ବନ୍ଧୁକ ବାହାର କରି ଧମକ ଚମକ ଦେବା ସହ ଗୁଳିମାଡ ମଧ୍ୟ କରିଥିଲେ। ଏନେଇ ଦୁର୍ବୁତ୍ତଙ୍କ ଭୁଜାଲି ମାଡ଼ରେ ଗୁରୁତର ଆହାତ ହୋଇଥିଲେ ବସନ୍ତ ।
ଅନ୍ୟପଟେ ବନ୍ଧୁକ ଏବଂ ଭୁଜାଲି ଆକ୍ରମଣର ଶବ୍ଦ ଏବଂ ବସନ୍ତଙ୍କ ପାଟି ଶୁଣି ତାଙ୍କ ସ୍ତ୍ରୀ ଘରୁ ବାହାରିବା କ୍ଷଣି ତାଙ୍କୁ ମଧ୍ୟ ଗୁଳି ମାରିବାକୁ ଉଦ୍ୟମ କରିଥିଲେ । ହେଲେ କଳେ କୌଶଳେ ବସନ୍ତଙ୍କ ସ୍ତ୍ରୀ ବଞ୍ଚି ଯାଇଥିଲେ । ଏହା ପରେ ବନ୍ଧୁକ ଏବଂ ଭୁଜାଲି ମୁନରେ ଘର ଭିତରକୁ ଯାଇ ତିନି ଜଣ ଦୁର୍ବୁତ୍ତ ଅଢେଇ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ ବୋଲି ସୂଚନା ରହିଛି । ତେବେ ସମସ୍ତ ଦୁର୍ବୁତ୍ତ ସେଠାରୁ ଫେରାର ହୋଇଯିବା ପରେ ପଡୋଶୀ ଲୋକେ ମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଗୁରୁତର ଭାବେ ବନ୍ଧୁକ ଏବଂ ଭୁଜାଲିରେ ଆକ୍ରମଣର ଶିକାର ହୋଇଥିବା ବସନ୍ତ ବାରାଙ୍କୁ ପୋଲିସ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିବା ଜଣାପଡିଛି। ସେହିପରି ଅନ୍ୟପଟେ ପୋଲିସ ସୀମାବର୍ତ୍ତୀ ଅଞ୍ଚଳକୁ ସିଲ୍ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।