ରାଉରକେଲା:ନାବାଳିକାଙ୍କୁ ଦୁଷ୍କର୍ମ । ମାନସିକ ଅସୁସ୍ଥ ଥିବା ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ଇସ୍ପାତ ନଗରୀରୁ । ଶେଷରେ ନାବାଳିକା ଜଣଙ୍କ 8 ମାସର ଗର୍ଭବତୀ ଥିବା ଜଣାପଡିଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି ରାଉରକେଲା ସହରର ଉଦିତନଗର ଥାନା ଅଞ୍ଚଳରେ । ଏନେଇ ଥାନାରେ ଅଭିଯୋଗ ପରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଦୁର୍ବୃତ୍ତ ଜଣଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଜଣଙ୍କ ନିଜ ପରିବାର ଉଦିତନଗର ଥାନା ଅଞ୍ଚଳର ଏକ ବସ୍ତିରେ ରୁହନ୍ତି । ସେ ପିଲା ବେଳୁ ମାନସିକ ଅସୁସ୍ଥ । ଏହାର ଫାଇଦା ଉଠାଇ କେହି ଦୁର୍ବୃତ୍ତ ନାବାଳିକା ସହ ଦୁଷ୍କର୍ମ କରିଛି । ଯାହା ଫଳରେ ନାବାଳିକା ଝିଅଟି ବର୍ତ୍ତମାନ ଆଠ ମାସର ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ସେ ନିଜେ ଜାଣିବାକୁ ମଧ୍ୟ ଅସମର୍ଥ । କିନ୍ତୁ କିଛିଦିନ ପୂର୍ବେ ପୀଡିତା ଜଣଙ୍କ ଅସୁସ୍ଥ ହୋଇପଡିବାରୁ ତାଙ୍କ ମାଆ ତାଙ୍କୁ ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ । ସେଠାରେ ନାବାଳିକା ଝିଅ ଗର୍ଭବତୀ ଥିବା ଡାକ୍ତର ସୂଚନା ଦେଇଥିଲେ ।
ଏହା ଶୁଣିବା ପରେ ପୀଡିତାଙ୍କ ମାଆ ଚାଇଲ୍ଡ ଲାଇନ ସହ ଯୋଗାଯୋଗ କରିବା ପରେ ମାନସିକ ଅସୁସ୍ଥ ଥିବା ନାବାଳିକା ଝିଅ ସହ ଦୁଷ୍କର୍ମ ହୋଇଥିବା ନେଇ ରାଉରକେଲା ଉଦିତନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ଝିଅ ମାନସିକ ଅସୁସ୍ଥ ଥିବାରୁ ଦୁଷ୍କର୍ମ ଘଟଣା ସମ୍ପର୍କରେ କିଛି କହିବାକୁ ଅସମର୍ଥ । ତେବେ କିଏ ଏହି ନାବାଳିକାଙ୍କୁ ଦୁଷ୍କର୍ମ କଲା ସେନେଇ ତଦନ୍ତ କରୁଛି ପୋଲିସ ।