ରାଉରକେଲା:ସକାଳୁ ସ୍କୁଲରେ ପ୍ରାର୍ଥନା ଚାଲିଥିଲା । ହଠାତ୍ ଟଳି ପଡିଲେ ଜଣେ ଦଶମ ଶ୍ରେଣୀ ଛାତ୍ର । ହସ୍ପିଟାଲ ନିଆଯିବାରୁ ଡାକ୍ତର ମୃତ ଘୋଷଣା କଲେ । ଗତକାଲି(ଶନିବାର) ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଏକ ଘରୋଇ ବିଦ୍ୟାଳୟରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ଛାତ୍ର ହେଉଛନ୍ତି ମହମ୍ମଦ ନୌସାଦ ଓ ସହରର ଶ୍ରୀ ଅରବିନ୍ଦ ସ୍କୁଲରେ ପାଠ ପଢୁଥିଲେ । ଏହି ଘଟଣା ସ୍ଥାନୀୟ ଶୋକର ଛାୟା ଖେଳାଇଛି । ଛାତ୍ରଙ୍କ ସହପାଠୀ, ଶିକ୍ଷକ ଓ ସାଙ୍ଗସାଥୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏ ଯାଏଁ ଛାତ୍ରଙ୍କ ଆକସ୍ମିକ ମୃତ୍ୟୁର କାରଣ ଜଣାପଡିନି ।
ସୂଚନା ଅନୁଯାୟୀ, ପ୍ରତି ଶନିବାର ଭଳି ଗତକାଲି ସକାଳେ ସ୍କୁଲରେ ଯୋଗାଭ୍ୟାସ ଓ ପ୍ରାର୍ଥନା ଆରମ୍ଭ ହୋଇଥିଲା । ସବୁ ଛାତ୍ରଛାତ୍ରୀ ପ୍ରାର୍ଥନା କରୁଥିଲେ । ଏହି ସମୟରେ ଦଶମ ଶ୍ରେଣୀରେ ପଢୁଥିବା ମହମ୍ମଦ ହଠାତ୍ ଅନୁଭବ କରିଥିଲେ ଓ ସେହିଠାରେ ହିଁ ଚେତାଶୂନ୍ୟ ହୋଇଯାଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତରୀ ଦଳର ଶତ ଚେଷ୍ଟା ସତ୍ତ୍ବେ ମହମ୍ମଦଙ୍କ ଜୀବନ ବଞ୍ଚି ପାରିନଥିଲା । ତେବେ କାହିଁକି ଛାତ୍ରଙ୍କର ମୃତ୍ୟୁ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି । ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।
ଏହାମଧ୍ୟ ପଢନ୍ତୁ: ଶିକ୍ଷକ ଭୁଲିଗଲେ ହିତାହିତ ଜ୍ଞାନ, ଶ୍ରେଣୀ ଗୃହରେ ମଦ୍ୟପାନର ଭିଡିଓ ଭାଇରାଲ