ରାଉରକେଲା:ଦିନକ ପରେ ଦେଶ ପାଳିବ ୭୭ତମ ସ୍ବାଧୀନତା ଦିବସ । ଏହି ଅବସରରେ ଆଦିବାସୀ ଶହୀଦଙ୍କୁ ସମ୍ମାନ ଜଣାଇଲା CITU । ବୀରମିତ୍ରପୁର ଆମକୋ-ସିମକୋ ମାଟିର ଶହୀଦଙ୍କୁ ସମ୍ମାନ ଜଣାଇ CITU ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଆମକୋ-ସିମକୋ ଶହୀଦଙ୍କ ବୀରତ୍ୱ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇ ଶହୀଦ ସ୍ମୃତି ପୀଠରୁ ରାଉରକେଲା ସହର ଯାଏଁ ଏହି ବିଶାଳ ଶୋଭାଯାତ୍ରା କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:77th I-Day: ଲାଲକିଲ୍ଲାରେ ଫୁଲ୍ ଡ୍ରେସ୍ ରିହର୍ସଲ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଏହା ମଧ୍ୟ ପଢ଼ନ୍ତୁ:୧ ଲକ୍ଷ ତ୍ରିରଙ୍ଗା ତିଆରିରେ ବ୍ୟସ୍ତ ମହିଳା, କମ୍ ପାରିଶ୍ରମିକ ସତ୍ତ୍ବେ କାମରେ ଦେଖାଇଛନ୍ତି ନିଷ୍ଠା
୧୯୩୯ ମସିହାରେ ବ୍ରିଟିଶ ଗୁଳିରେ ୪୯ ଜଣ ନିରୀହ ଆଦିବାସୀ ଶହୀଦ ହୋଇଥିଲେ । ସେ ସମୟରେ ବ୍ରିଟିଶ ଶାସନ ବହୁ ଉଗ୍ରରୂପ ଧାରଣ କରିଥିଲା । ବାଧ୍ୟତାମୂଳକ ଭାବରେ କର ଆଦାୟ କରୁଥିଲେ ବ୍ରିଟିଶ ସରକାର ଏବଂ କର ଆଦାୟ ନାମରେ ଆଦିବାସୀ ଲୋକଙ୍କୁ ଶୋଷଣ ଚାଲିଥିଲା । ଏହି ଶୋଷଣ ବିରୋଧରେ ଆଦିବାସୀ ଲୋକେ ସ୍ୱର ଉତ୍ତୋଳନ କରିଥିଲେ । ବ୍ରିଟିଶ ସରକାରଙ୍କ ବେଆଇନ କର ବିରୋଧରେ ଆଦିବାସୀମାନେ ମେଳି କରି ଆମ୍କୋ ଏବଂ ସିମକୋ ଗ୍ରାମର ସମସ୍ତ ଆଦିବାସୀ ମାନେ ଏକତ୍ର ହୋଇଥିଲେ । ଠିକ୍ ଏହି ସମୟରେ ଲୋକେ ବ୍ରିଟିଶ ସରକାର ବିରୋଧରେ ମେଳି ବାନ୍ଧୁଥିବା ଖବର ପାଇ ବ୍ରିଟିଶ ଫୌଜ ସେଠାରେ ପହଞ୍ଚି ଆଖି ବୁଜା ଗୁଳି ଚଳାଇଥିଲେ । ନିଜ ମାଟି ପାଇଁ ବୀରତ୍ବର ସହ ବ୍ରିଟିଶ ସରକାରକୁ ଆଦିବାସୀ ଲୋକେ ସାମ୍ନା କରିଥିଲେ । ଏହି ଗୁଳିକାଣ୍ଡରେ ବହୁ ଆଦିବାସୀ ଶହୀଦ ବି ହୋଇଥିଲେ ।