ସୁନ୍ଦରଗଡ଼: ଚାଲିଛି ପୂଜାପାଠ । ବେଦ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ପରିବେଶ । ସୁନ୍ଦରଗଡ଼ ରାଣୀ ବଗିଚା ସ୍ଥିତ ମଶାଣିରେ 56 ଜଣ ଅଜଣା ବ୍ୟକ୍ତିଙ୍କ ସାମୁହିକ ଅସ୍ଥି ବିସର୍ଜନ ପୂଜା କରାଯାଇଛି । ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା ଅଜଣା ବ୍ୟକ୍ତି, ବୃଦ୍ଧା ଶ୍ରମ ଓ ଆସ୍ଥା ଗୃହରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଅସ୍ଥି ପୂଜା କରାଯାଇଛି । ଏହି ମୃତକ ମାନଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କର ଅସ୍ଥିକୁ ତାଙ୍କ ପରିବାର ବର୍ଗ ନେବାକୁ ନଆସିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଗତ 4 ବର୍ଷରେ 700ରୁ ଅଧିକ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର କରି ଆସୁଛନ୍ତି ମଶାଣୀ ବନ୍ଧୁ ।
ଆଗେଇ ଆସିଥିଲେ ମଶାଣୀ ବନ୍ଧୁ:
ମହାମାରୀ କୋରୋନା ବଦଳାଇ ଦେଇ ଥିଲା ମଣିଷର ମାନବିକତା ଆଚରଣ । ଯେଉଁଠି ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ବର୍ଗ ଓ ସମ୍ପର୍କୀୟ ମଧ୍ୟ ଜୀବନ ଭୟରେ ପାଖ ମାଡୁ ନଥିଲେ ସେ ସମୟରେ କୋରୋନା ମୃତକଙ୍କର ଅନ୍ତିମ ସଂସ୍କାର ପାଇଁ ଆଗେଇ ଆସିଥିଲେ ଏହି ମଶାଣୀ ବନ୍ଧୁ । ଏହି ମହତ କାର୍ଯ୍ୟ ପାଇଁ ନିଜ ଜୀବନକୁ ପଛରେ ପକାଇଥିଲେ ଏହି ସମାଜ ସେବୀ । ଅନ୍ତିମ ସଂସ୍କାର ପରେ କାଳେ କେହି ଆସି ଅସ୍ଥି କଳସକୁ ନେବେ ସେ ଆଶା ରଖିଥିଲେ ଏହି ଟିମ । ଦୀର୍ଘଦିନ ଧରି କେହି ଅସ୍ଥି କଳସକୁ ନେଇ ନଥିଲେ । ତେଣୁ ମୃତକଙ୍କ ଆତ୍ମାର ଶାନ୍ତି ନିମନ୍ତେ ପୂଜାର୍ଚ୍ଚନା ସାଙ୍ଗକୁ ଅସ୍ଥି ବିସର୍ଜନ କରୁଛନ୍ତି ।