ରାଉରକେଲା:ସୁନ୍ଦରଗଡ଼ ମାଟିର ପୁଅ ଦୀପକକୁ ଝୁରୁଛି ଗାଁ ଆଉ କାନ୍ଦୁଛି ମାଆ । ସମ୍ପୂର୍ଣ୍ଣ ଜିଲ୍ଲା ସହ ଆଇଟିବିପି ଶହୀଦ ଯବାନ ଦୀପକଙ୍କୁ ଝୁରୁଛି । ଇଣ୍ଡୋ-ତିବେତା ପୋଲିସ ବାହିନୀରେ କାର୍ଯ୍ୟ କରୁଥିବା ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଖୁରାପାଲି ଗ୍ରାମର ଦୀପକ ଟେଟେ ଶହୀଦ ହୋଇଥିଲେ । ତାଙ୍କ ପ୍ରାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇ ଶୋକାକୁଳ ପରିବେଶରେ ବିଦାୟ ଦିଆଯାଇଛି । ୧୦ ବର୍ଷ ହେବ ଦୀପକ ଇଣ୍ଡୋ-ତିବେତାନ ପୋଲିସରେ କାର୍ଯ୍ୟ କରୁଥିବା ବେଳେ କିଛିଦିନ ହେବ ଇଣ୍ଡୋ ଚାଇନା ତିବତ ସୀମାରେ କାର୍ଯ୍ୟରତ ଥିଲେ । ବର୍ତ୍ତମାନ ଛତିଶଗଡ଼ରରେ ଚାଲିଥିବା ବିଧାନସଭା ନିର୍ବାଚନ ପାଇଁ ସେ ସେଠାକୁ ଯାଇଥିଲେ ।
ଗତ ୧୬ତାରିଖ କାର୍ଯ୍ୟରତ ଅବସ୍ଥାରେ ସେ ଅସୁସ୍ଥ ହୋଇ ପଡ଼ିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ୨୦ ତାରିଖ ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିଲା । ବୁଧବାର ଅପରାହ୍ନରେ ପ୍ରଶାସନ ଓ ଆଇଟିବିପି ପକ୍ଷରୁ ଗାର୍ଡ ଓଫ ଅନର ଦିଆଯିବା ପରେ ଶୋକାକୁଳ ପରିବେଶରେ ଦୀପକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶହୀଦ ଦୀପକଙ୍କ ଅନ୍ତିମ ଯାତ୍ରାରେ ଅଞ୍ଚଳର ଶତାଧିକ ଜନସାଧାରଣ ଓ ବହୁ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ସାନଭାଇର ବାହାଘର ନିର୍ବନ୍ଧ ଉତ୍ସବକୁ ଆସି ପାରିନଥିଲେ ଦୀପକ ଛୁଟି ମିଳିଲେ ଘରକୁ ଆସିବାର ଯୋଜନା କରିଥିଲେ । ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି କରୁଥିବା ବେଳେ ଅସୁସ୍ଥ ହୋଇ ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା ।