ରାଉରକେଲା: ସ୍ବାସ୍ଥ୍ୟ ବ୍ୟବସ୍ଥାର ବିପର୍ଯ୍ୟସ୍ତ ସ୍ଥିତି । କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ରୋଗୀ ପାଇଁ ମୌଳିକ ସୁବିଧା ସୁଯୋଗର ଅଭାବ । ସମ୍ପୂର୍ଣ୍ଣ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଚିକିତ୍ସାଳୟ । ରାଜ୍ୟ ସରକାର ଚିକିତ୍ସାଳୟର ଭିତ୍ତିଭୂମି ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହାର ସମ୍ପୂର୍ଣ୍ଣ ଚିତ୍ର ଅଲଗା ରହିଛି ।
ବଣାଇ ଉପଖଣ୍ଡରେ ଥିବା ୪ ଗୋଟି ବ୍ଲକ ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡା ଓ ବଣାଇ ଅଞ୍ଚଳର ରୋଗୀ ଏହି ଉପଖଣ୍ଡ ଚିକିତ୍ସାଳୟରେ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏଠାକାର ପ୍ରଶାସନ ବା ଜନ ପ୍ରତିନିଧି ଏହି ଚିକିତ୍ସାଳୟ ପ୍ରତି ଧ୍ୟାନ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଚିକିତ୍ସାଳୟରେ ୫୬ ଗୋଟି ଶଯ୍ୟା ଥିବା ବେଳେ ଏଥି ମଧ୍ୟରୁ ପୁରୁଷ, ମହିଳା, ଶିଶୁ ଓ ପ୍ରସୂତି ବିଭାଗରେ ବିଭକ୍ତ କରାଯାଇଛି । ଫଳରେ କର୍ମଚାରୀ, ଡାକ୍ତର ଓ ଶଯ୍ୟା ଅଭାବ ଦେଖିବାକୁ ମିଳୁଛି । ସେପଟେ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶଯ୍ୟା ଅଭାବ ଯୋଗୁଁ ରୋଗୀ ଯେଉଁ ସ୍ଥାନରେ ପାଇଲେ ସେଠାରେ ବେଡସିଟ ପକାଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ଏପରିକି ଡାକ୍ତର ମଧ୍ୟ ବାଧ୍ୟ ହୋଇ ତଳେ ବସି ଚିକିତ୍ସିତ କରୁଥିବା ଦେଖିବାକୁ ମିଳିଛି ।
ଏନେଇ ରୋଗୀ ଅଭିଯୋଗ କରିଛନ୍ତି ଯେ, ବଡ ଚିକିତ୍ସାଳୟ ଭାବି ଚିକିତ୍ସିତ ହେବାକୁ ଆସୁଥିବା ବେଳେ ଏଠାରେ ଡାକ୍ତର, କର୍ମଚାରୀ ଓ ଶଯ୍ୟା ଅଭାବ ରହିଛି । ସେହିପରି ହସ୍ପିଟାଲରେ ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା ଯୋଗୁଁ ଅନେକ ସମୟରେ ପାଣିର ଅଭାବ ଦେଖା ଯାଉଥିବା ବେଳେ ରୋଗୀଙ୍କ ପରିବାର ବର୍ଗ ଦୂରରୁ ପାଣି ସଂଗ୍ରହ କରି ଆଣିବାକୁ ପଡୁଛି । ଏହା ସହିତ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଶୌଚାଳୟର କବାଟ ଭଙ୍ଗାଥିବା ଦେଖିବାକୁ ମିଳିଛି ଫଳରେ ନିୟମିତ ଭାବରେ ଦୁର୍ଗନ୍ଧ ହେଉଛି ବୋଲି ରୋଗୀ ଅଭିଯୋଗ କରିଛନ୍ତି ।