ମହିଳାଙ୍କୁ ନିର୍ମମ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଦଣ୍ଡ ରାଉରକେଲା: ଦୁଇଟି ପୃଥକ ପୃଥକ ମାମଲାର ରାୟ ଶୁଣାଇଛନ୍ତି ରାଉରକେଲା ଏବଂ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ । ବିଶ୍ରା ଥାନା ଅନ୍ତର୍ଗତ କଦଳୀ ବାହଲ ଠାରେ ଘଟିଥିବା ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କଦଳୀବାହଲ ଗ୍ରାମରେ ଜଣେ ମହିଳାଙ୍କୁ ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଅନୀଲ ଖାଲକୋଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହାସହ ୨ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ଅର୍ଥ ଦଣ୍ଡ ଅଣାଦେୟ ହେଲେ ଅତିରିକ୍ତ ଏକମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ । ରାଉରକେଲା ଏଡିଜେ ୧ ଭି ସୁଜାତା ଏହି ଦଣ୍ଡ ବିଧାନର ଶୁଣାଣି କରିଛନ୍ତି ।
ସୂଚନା ଅନୁଯାୟୀ, ୨୦୧୭ ମସିହା ଜୁନ ୨୪ ତାରିଖ ଅନିଲ ଖାଲକୋ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ପାରିବାରିକ ଗଣ୍ଡଗୋଳ ସମାଧାନ କରିବାକୁ ଯାଇଥିବା କଦଳୀ ବାହଲ ଗ୍ରାମର ଜଣେ ମହିଳା ସୁରେଇ କିସପଟାଙ୍କୁ ଅନୀଲ ଖାଲକୋ ଲୁହା ପାଇପରେ ପିଟି ଗୁରୁତର କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସୁରେଇ ମୃତ୍ୟୁ ବରଣ କରିବା ପରେ ଏହି ଘଟଣା ନେଇ ୨୦୧୭ ମସିହା ଜୁନ ୨୭ ତାରିଖ ବିଶ୍ରା ଥାନାରେ ଅଭିଯୋଗ କରିଥିଲେ । ହତ୍ୟା ଘଟଣାରେ ୧୧ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ରାଉରକେଲା ଏଡିଜେ ହତ୍ୟାକାରୀ ଅନୀଲ ଖାଲକୋକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସ୍ବରୁପ ରଞ୍ଜନ ରଥ ସୂଚନା ଦେଇଛନ୍ତି ।
ସେହିପରି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୯୦ ବର୍ଷର ଜେଲଦଣ୍ଡ ଶୁଣାଇଲେ ସୁନ୍ଦରଗଡ଼ ADJ କୋର୍ଟ । ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସତନ୍ତ୍ର ପୋକ୍ସୋ କୋର୍ଟ ଏହି ସଜା ଶୁଣାଇଛନ୍ତି । ସର୍ବୋଚ୍ଚ ୧୦ ବର୍ଷର ସଶ୍ରମ ଜେଲ ଦଣ୍ଡ ସହ ୪୭ ହଜାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନାବାଳିକାଙ୍କ ସହ କରିଥିବା ଦୁଷ୍କର୍ମ ଏବଂ ଅନ୍ୟାନ୍ୟ ସଙ୍ଗୀନ କାର୍ଯ୍ୟରେ ଲିପ୍ତ ଥିବା ଯୋଗୁଁ ସମସ୍ତ ଦଫା ଅନୁସାରେ ଦୋଷୀ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷ ଯାଏ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଜୋରିମାନା ଅନାଦେୟ ହେଲେ ଆହୁରି ୬ ମାସର ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଦୋଷୀ ସାବ୍ୟସ୍ତ ହୋଇଥିବା ଶିକ୍ଷକଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
ବର୍ତ୍ତମାନ ୧୦ ବର୍ଷ ସଶ୍ରମ କାରାଦଣ୍ଡ ପରେ ପୁଣି ଏହି ଦଣ୍ଡାଦେଶ ଦଫା ଅନୁଯାୟୀ ଆଗକୁ ବଢି ମୋଟ ୯୦ ବର୍ଷ ଦଣ୍ଡିତ କରାଯିବ। ତେବେ ଏହି ଘଟଣାଟି ୨୦୧୫ ମସିହାର । ଜଣେ ସ୍କୁଲ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ ହୋଇଥିବା ନେଇ ଲେଫ୍ରିପଡା ଥାନାରେ ଅଭିଯୋଗ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ଥାନା ରାଇଡିହି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ପଟେଲ ବିଦ୍ୟାଳୟର ଅନେକ ଛାତ୍ରୀଙ୍କ ସହ ଅସଦାଚରଣ ଏବଂ ଯୌନ ନିର୍ଯାତନା ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ସଜା ଶୁଣାଇଛନ୍ତି କୋର୍ଟ । ପୀଡ଼ିତା ୧୧ ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଇଟିଭି ଭାରତ, ରାଉରକେଲା