ରାଉରକେଲା: ନାଗ ସାପ ଦେଖାଇ ଲୋକଙ୍କ ଠାରୁ ନେଉଥିଲା ଟଙ୍କା । ଶ୍ରାବଣ ମାସରେ ବେଦବ୍ୟାସ ମନ୍ଦିରରେ କରୁଥିଲା ବେପାର । ବନ୍ୟପ୍ରାଣୀ ଆଇନ ବଳରେ ବେଆଇନ ସାପ ଧରା ଓ ପ୍ରଦର୍ଶନୀ ଅଭିଯୋଗରେ ବନଖଣ୍ଡ ଅଧିକାରୀ ଦ୍ୱାରା ଅଭିଯୁକ୍ତକୁ ଗିରଫ କରାଯାଇଛି । ମନ୍ଦିରରେ ନାଗ ସାପକୁ ଧରି ଭକ୍ତଙ୍କ ଠାରୁ ଟଙ୍କା ଆଦାୟ କରିବାକୁ ଉଦ୍ୟମ କରୁଥିବା ବେଳେ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ତାଙ୍କୁ କାବୁ କରିଥିଲା । ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଡିଏଫଓ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ମଧ୍ୟପ୍ରଦେଶ ସିହାର ଜିଲ୍ଲାର ମାନ ସିଂହ ।
ଶ୍ରାବଣ ମାସ ଚାଲିଥିବାରୁ ରାଉରକେଲା ବେଦବ୍ୟାସ ମନ୍ଦିରରେ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଏହି ସମୟରେ ମନ୍ଦିର ପରିସରରେ ସାପକୁ ବେଆଇନ ଭାବେ ବ୍ୟବସାୟ ପନ୍ଥା ଆପଣାଇଥିଲେ ମାନ ସିଂହ । ଖବର ପାଇ ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିସହ ମାନ ସିଂ ପାଖରେ ଏକ ଜୀବନ୍ତ ନାଗ ସାପ ଥିବା ଦେଖିବାକୁ ପାଇଥିଲା ବନ ବିଭାଗ । ଉକ୍ତ ସାପକୁ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଘଟଣାର ତଦନ୍ତ ବେଳେ ଜଣାପଡ଼ିଛି ଯେ, ମାନ ସିଂହ ଜଙ୍ଗଲରୁ ସାପ ଧରିବା, ସେମାନଙ୍କ ପ୍ରତି ଅମାନୁଷିକ ବ୍ୟବହାର କରିବା ଏବଂ ଲୋକଙ୍କୁ ଦେଖାଇ ରୋଜଗାର କରୁଥିବା ବନ ବିଭାଗ ଜାଣିବାକୁ ପାଇଛି ।