ରାଉରକେଲା:ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ । ଶହଶହ ମହିଳା ଏକାଠି ହୋଇ ରାଲି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମହାନଗର ନିଗମ ଅଧୀନରେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀକୁ ସାମିଲ କରାଯିବା ନେଇ ଦାବି ବାରମ୍ବାର ଉଠୁଥିଲେ ମଧ୍ୟ ଏହା ପୂରଣ ହୋଇ ପାରୁନାହିଁ । ଯାହାକୁ ନେଇ ଆଜି ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସମସ୍ତ ମହିଳା ଆସି ଏକାଠି ହେବା ସହ ମହାନଗର ନିଗମ ଅଧୀନରେ ସାମିଲ କରିବାକୁ ଦାବି କରିଥିଲେ । ତେବେ ରାଉରକେଲା ଉଦିତନଗର ସିଂହାସିନୀ ମନ୍ଦିରଠାରୁ ରାଉରକେଲା ମହାନଗର ନିଗମ ଯାଏଁ ଏକ ବିଶାଳ ରାଲିର ଆୟୋଜନ କରାଯାଇଥିଲା ।
ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କୁ ରାଜ୍ୟ ସରକାର ଅବହେଳା କରୁଥିବା ନେଇ ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ତେବେ ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ସମସ୍ତ ଜନ ସାଧାରଣ ସବୁ ସୁବିଧା ପାଉଥିବାବେଳେ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ଲୋକେ ଏହାକୁ ପାଇ ପାରୁନାହାନ୍ତି । କାରଣ ଏହି ନିର୍ବାଚନ ମଣ୍ଡଳୀ ଇସ୍ପାତ କାରଖାନା ଷ୍ଟିଲ ଟାଉନସିପ୍ ଅଧୀନରେ ଆସୁଛି । ହେଲେ ସେଠାରେ ରାଜ୍ୟ ସରକାରଙ୍କ କୌଣସି ଜନ ହିତକାରୀ ଯୋଜନା ପହଞ୍ଚି ପାରୁନାହିଁ । ରାଉରକେଲା ମହାନଗର ନିଗମ ଏହାକୁ ଗୁରୁତ୍ୱର ସହ ନେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଦାବି ହୋଇଛି ।
ତେବେ ଏହି ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲାର ନାଁ ମହାନଗର ନିଗମ ନା ପଞ୍ଚାୟତ ଅଧିନରେ ଯାଉନାହିଁ । ତେଣୁ ଏହି ଅଞ୍ଚଳ ୧୯୯୫ ମସିହାରୁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଥିବା ବୋଲି ଅଭିଯୋଗ ହେଉଛି । ରାଉରକେଲା ଇସ୍ପାତ କାରଖାନା ତା'ର କର୍ମଚାରୀଙ୍କ ପାଇଁ ବାସଗୃହ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଛି । ଏହି ଅଞ୍ଚଳରେ ବସବାସ କରୁଥିବା ଅଧିକାଂଶ ପରିବାର ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ଲୋକେ ଗରିବ ଶ୍ରେଣୀର ହୋଇଥିବାବେଳେ ଦୁଃଖ ଦୁର୍ଦ୍ଦିନରେ ଜୀବନଯାପନ କରୁଛନ୍ତି । ତେବେ ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲାରେ ଗଠିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ମୁକ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ଦ୍ବାରା ସେମାନେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ଆଶା ରଖିଛନ୍ତି ।