ରାଉରକେଲା: ପୁଣି ତେଜିଲା ରାଉରକେଲାରେ ବିଶ୍ବବିଦ୍ୟାଳୟ ଦାବି । ରାଉରକେଲାରେ ବିଶ୍ବବିଦ୍ୟାଳୟ ସ୍ଥାପନ କରିବା ନେଇ ସ୍ବର ଉଠାଇଲା ରାଉରକେଲା ନାଗରିକ ସୁରକ୍ଷା ସମିତି । ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କଲେଜକୁ ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଘୋଷଣା କରୁଥିବା ବେଳେ ରାଉରକେଲା ସହରରେ ମଧ୍ୟ ରାଜ୍ୟ ସରକାର ଏହାକୁ ନେଇ ପଦକ୍ଷେପ ଗ୍ରହଣ କରି ଏକ ବିଶ୍ବବିଦ୍ୟାଳୟ ସ୍ଥାପନ କରାଯାଉ ବୋଲି ଦାବି ଉଠିଛି । ରାଉରକେଲା ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦିଆଯାଉ ବୋଲି ଦାବି କରିଛି ନାଗରିକ ସୁରକ୍ଷା ସମିତି ।
ଯେହେତୁ ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସୁନ୍ଦରଗଡ଼ ଜିଲ୍ଲାର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଏବଂ ଏହି ଶିକ୍ଷାନୁଷ୍ଠାନ ବହୁ ପୁରାତନ, ତେଣୁ ଏହି ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଉ ବୋଲି ଦାବି ହୋଇଛି । ଏହି ପାନପୋଷ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇଲେ ସୁନ୍ଦରଗଡ଼ ଜିଲ୍ଲାର ପ୍ରାୟ ୧୪୮ଟି ଡିଗ୍ରୀ କଲେଜ ଉପକୃତ ହୋଇପାରିବେ । ଏହାସହ ଦେବଗଡ଼ ଏବଂ ଅନୁଗୋଳ ଜିଲ୍ଲାର କିଛି କଲେଜକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କଲେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଉପରେ ନିର୍ଭରଶୀଳ ଥିବା ଛାତ୍ରଛାତ୍ରୀ ମଧ୍ୟ ଉପକୃତ ହୋଇପାରିବେ । ତେଣୁ ଏହି ପାନପୋଷ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ବବିଦ୍ୟାଳୟ ସ୍ଥାପନ ସମ୍ପୂର୍ଣ୍ଣ ଉପଯୁକ୍ତ ଏବଂ ଏଠାରେ ସରକାର ବିଶ୍ବବିଦ୍ୟାଳୟ ସ୍ଥାପନ କରନ୍ତୁ ବୋଲି ଦାବି ହୋଇଛି । ତେବେ ପୂର୍ବରୁ ମଧ୍ୟ ବହୁବାର ବିଶ୍ବବିଦ୍ୟାଳୟ ପାଇଁ ଦାବି ହୋଇଛି । କିନ୍ତୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏଥିରେ ଅବହେଳା କରୁଥିବା ଅଭିଯୋଗ କରିଛି ରାଉରକେଲା ନାଗରିକ ସୁରକ୍ଷା ସମିତି ।