ରାଉରକେଲା:ଘନଉଛି ରାଉରକେଲା ଜିଲ୍ଲା ମାନ୍ୟତା ଦାବି । ଦୀର୍ଘଦିନ ଧରି ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ଦାବି ହୋଇଆସୁଛି । କେବେ ଘୋଷଣା ହେବ ରାଉରକେଲା ଜିଲ୍ଲା ? ତାହାକୁ ନେଇ ପୁଣି ବର୍ତ୍ତମାନ ସ୍ୱର ଉଠିଲାଣି । ପାନପୋଷ ଓ ବଣାଇ ଉପଖଣ୍ଡକୁ ମିଶାଇ ଜିଲ୍ଲା ଘୋଷଣା ଦାବି ସ୍ୱାଧୀନତା ପର ଠାରୁ ହୋଇ ଆସୁଛି । ସେ ସମୟରେ 13 ନମ୍ବର ଜିଲ୍ଲା ଭାବେ ରାଉରକେଲାକୁ ଜିଲ୍ଲା ଦାବି ହେଉଥିଲା । କିନ୍ତୁ ଏହାରି ମଧ୍ୟରେ ବିତିଗଲାଣି ଦଶନ୍ଧି ଉପରେ ଦଶନ୍ଧି ଏବଂ 13 ଜିଲ୍ଲାରୁ 30 ଟି ଜିଲ୍ଲା ହୋଇଗଲା । କିନ୍ତୁ ରାଉରକେଲା ସହରକୁ ଜିଲ୍ଲା ଘୋଷଣା କେବଳ ଦାବିରେ ହିଁ ରହିଗଲା ।
ପାନପୋଷ ସବଡିଭିଜନ ଅଧିନସ୍ଥ ରାଉରକେଲା ସହର ଓ ବିରମିତ୍ରପୁର, କୁଆରମୁଣ୍ଡା, ଲାଠିକଟା ବିଶ୍ରା ଏବଂ ବଣାଇ ସବ ଡିଭିଜନର କୋଇଡା, ଟେନସା, ଲହୁଣୀପଡା ଅଞ୍ଚଳର ହଜାର ହଜାର ଲୋକେ ନୀତିଦିନ 200 ରୁ 250 କିଲୋମିଟର ଯାତାୟତ କରି ସଦର ମହକୁମାକୁ ନିଜର କାର୍ଯ୍ୟ ନେଇ ଆସିଥାନ୍ତି । ଯଦି ଅପହଞ୍ଚ ଅଞ୍ଚଳ ହୋଇଥିଲେ ପ୍ରାୟ 300 କିମି କେବଳ ଜିଲ୍ଲା ମୁଖ୍ୟାଳୟ ହୋଇଥାଏ । ଯାହାକୁ ନେଇ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କୋଇଡା, ବଣାଇ, ଅଞ୍ଚଳରୁ ସୁନ୍ଦରଗଡ଼କୁ ଗମନାଗମନ ଅସୁବିଧା ଥିବାରୁ ଦିନକରେ ଜିଲ୍ଲା ମୁଖ୍ୟାଳୟକୁ ଯାଇ କାମ ସାରି ଘରକୁ ଫେରିବା ଅସମ୍ଭବ ହୋଇପଡୁଛି । ତେବେ ରାଉରକେଲା ଏବଂ ବଣାଇ ଅଞ୍ଚଳ ସରକାରଙ୍କୁ ରାଜ୍ୟର ସର୍ବାଧିକ ରାଜସ୍ୱ ପ୍ରଦାନ କରନ୍ତି । ରାଉରକେଲା ସହରରେ ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ ଯାତାୟତ ପାଇଁ ବସ ଏବଂ ରେଳପଥ ରହିଛି । ଆଉ ଅଳ୍ପ କିଛିଦିନ ମଧ୍ୟରେ ରାଉରକେଲା ସହରରୁ ବିମାନ ସେବା ମଧ୍ୟ ଆରମ୍ଭ ହୋଇଯିବ । ଏହାସହ ବିଭିନ୍ନ ଆନୁଷଙ୍ଗିକ ସୁବିଧା ରହିଛି ଯାହାକୁ ନେଇ ରାଉରକେଲାକୁ ଜିଲ୍ଲା ମାନ୍ୟତା ହେବା ଜରୁରୀ ବୋଲି ଦାବି ହେଉଛି। ତେବେ ଯଥାସମ୍ଭବ ରାଉରକେଲାକୁ ଜିଲ୍ଲା ଘୋଷଣା ପାଇଁ ଦାବି କରିଛନ୍ତି ରାଉରକେଲା ସହରର ଆଇନଜୀବୀ ଏବଂ ବୁଦ୍ଧିଜୀବୀ ।