ରାଉରକେଲା:ଓଡ଼ିଶା ସୀମାବର୍ତ୍ତୀ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓ କାର୍ଯ୍ୟକଳାପ ପୁଣି ବଢ଼ିବାକୁ ଲାଗିଛି । ଗତକାଲି କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଏୟାରଲିଫ୍ଟ ଯୋଗେ ଝାଡ଼ଖଣ୍ଡ ରିମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଅପରାହ୍ନ ପ୍ରାୟ ୩ଟା ସମୟରେ ଗୋଇଲକେରାଠାରେ ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା ।
ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ସରଣ୍ଡା ଜଙ୍ଗଲରେ ସିପିଆଇ ମାଓବାଦୀ ସଂଗଠନର କିଛି ମାଓନେତା ଆତ୍ମଗୋପନ କରିଥିବା ପୋଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିଲା । ଏହାପରେ ଝାଡ଼ଖଣ୍ଡ ପୋଲିସ ଓ ସିଆର୍ପିଏଫ୍ ଯବାନ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ମାତ୍ର ମାଓବାଦୀମାନେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଥିଲେ । ଜଙ୍ଗଲର ବିଭିନ୍ନ ଜାଗାରେ ଓ ରାସ୍ତାରେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ ।
ଏହି ସମୟରେ ଗୋଇଲକେରା ନିକଟସ୍ଥ ସରଣ୍ଡା ଜଙ୍ଗଲରେ ଗତକାଲି ସିଆର୍ପିଏଫ୍ ଯବାନ କମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ଏକ ମାଟି ରାସ୍ତାରେ ଯବାନମାନେ ଯାଉଥିବା ବେଳେ ମାଓବାଦୀଙ୍କ ଦ୍ବାରା ଲଗାଯାଇଥିବା ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ଝାଡ଼ଖଣ୍ଡ ରାଜ୍ୟ ଗୁମଲା ଥାନା ଅଞ୍ଚଳର ସନ୍ତୋଷ ଓରାମ ଶଦୀହ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇଛନ୍ତି । ଗୁରୁତର ଯବାନମାନେ ସିଆର୍ପିଏଫ୍ ସେକେଣ୍ଡ କମାଣ୍ଡାଣ୍ଟ୍ ବିଜେତା ଟିନି ଓ ଅନ୍ୟଜଣେ ସିଆର୍ପିଏଫ୍ ଯବାନ ଜୟନ୍ତ ନାଥ ।