ସୁନ୍ଦରଗଡ଼: ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପାଇଁ ହେବାକୁ ଥିବା ପ୍ରତିଯୋଗିତାରେ ଭାଗନେବା ଲାଗି ମନୋନୀତ ହାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକର ଜୟ ବାବାମଣି କୁହାଁ ନୃତ୍ୟ ଦଳ । ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଲୋକକଳା ପ୍ରତିଯୋଗିତାରେ ସଂଘର କଳାକାରମାନେ ‘କିଷାନ ନୃତ୍ୟ’ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ନୃତ୍ୟ ଦଳର ମୁଖ୍ୟ ଫୁଲମନି ବାଡ଼ାଙ୍କ ସହିତ କଳାକାରମାନଙ୍କୁ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି।
ଓଡ଼ିଶାର ଲୋକକଳା ଏବଂ ସଂସ୍କୃତିକୁ ଆଗକୁ ନେବା , ଉଜ୍ଜିବୀତ କରି ଗଢି ତୋଳିବା ଓ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତ ବର୍ଷ ପ୍ରଥମଥର ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ଆୟୋଜନ କରାଯାଉଛି। ଏ ନେଇ ଓଡିଶାର ସମସ୍ତ ଜିଲ୍ଲାର ଜିଲ୍ଲାପ୍ରଶାସନ ଅଣ୍ଟା ଭିଡିଛନ୍ତି । ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ମଧ୍ୟ ସେହି ଧାରାରେ ଅନୁଗାମୀ ହୋଇଛି । ଏ ନେଇ ଗତକାଲି ( ମଙ୍ଗଳବାର ) ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ପ୍ରିଯୋଗିତାର ଆୟୋଜନ କରିଥିଲା । ଜିଲ୍ଲାରୁ ମୁଖ୍ୟମନ୍ତ୍ରୀଙ୍କ ଲୋକକଳା ଟ୍ରଫି ହାତେଇବା ନେଇ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରୁ ବିଭିନ୍ନ ଲୋକକଳା ଦଳ ଭାଗନେଇ ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ। କଳାକାରମାନେ ପାଲା, ଦାସକାଠିଆ, ସଂକୀର୍ତ୍ତନ, କୃଷ୍ଣଗୁରୁ ସହିତ ଝୁମେର, କିଷାନ, ଖଡ଼ିଆ ଆଦି ଲୋକନୃତ୍ୟ ପରିବେଷଣ କରିଥିଲେ। ଆଉ ପ୍ରତିଯୋଗିତାର ପୁଙ୍ଖାନୁପୁଙ୍ଖ ତର୍ଜମା କରିବା ପାଇଁ ନିଜେ ସୁନ୍ଦରଗଡ ଜିଲ୍ଲା ସଂସ୍କୃତି ଅଧିକାରୀ ଉପସ୍ଥିତ ଥିଲେ ।
କେବଳ ସେତିକି ନୁହେଁ ପ୍ରତିଯୋଗୀଙ୍କ ପ୍ରଦର୍ଶନ , କଳାର ମହତ୍ତ୍ବ , ଆଦିବାସୀ ପରମ୍ପରା ସହିତ ପ୍ରଦର୍ଶିତ କଳାର ସଂପୃକ୍ତି ଅଛି କି ନାହିଁ ତାହା ସମୀକ୍ଷା କରିବା ସହ ଲୋକକଳାଦଳଙ୍କୁ ପରିକ୍ଷୀବା ନେଇ ଦୁଇ ଦୁଇ ଜଣ କଳା ବିଶେଷଜ୍ଞଙ୍କୁ ନିଯୁକ୍ତ କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରୀ । ସମସ୍ତ କ୍ଷେତ୍ରରେ ସ୍ବଚ୍ଛତାକୁ ବଜାୟ ରଖାଯାଇଥିଲା । ଜିଲ୍ଲାରେ ପ୍ରଥମ ତଥା ରାଜ୍ୟରେ ପ୍ରଥମ କରି ଏହି ଯୋଜନା ଆରମ୍ଭ ହୋଇଥିବା ଏବଂ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ନାମରେ ନାମିତ ହୋଇଥିବା ଏହି ଟ୍ରଫି ପାଇଁ ଯେପରି ଉପଯୁକ୍ତ କଳାଦଳ ରାଜ୍ୟ ସ୍ତରକୁ ଉନ୍ନିତ ହେବେ, ସେହି ଦାୟିତ୍ବକୁ ସମ୍ଭାଳିଥିଲେ ଜିଲ୍ଲା ସସ୍କୃତି ଅଧିକାରୀ ।