ରାଉରକେଲା: ସରକାର ଗମନାଗମନର ସୁବିଧା ପାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ନେଇ ଡ଼ିଣ୍ଡିମ ପିଟୁଛନ୍ତି । ହେଲେ ଏବେ ମଧ୍ୟ ଏମିତି ଅଞ୍ଚଳ ଅଛି ଯାହା ସରକାରଙ୍କ ବିକାଶ ନକ୍ସାର ଆଢ଼ୁଆଳରେ ରହିଯାଇଛି । ତେବେ ରାଉରକେଲା ଉପକଣ୍ଠ ଝିରପାଣି ନିକଟରେ ଦେଓ ନଦୀ ଉପରେ ମିଟକୁନ୍ଦୁରୀରୁ ରିଉଁ ଗ୍ରାମକୁ ଯିବା ପାଇଁ ରାସ୍ତାର ସମସ୍ୟା ଥିବା ବେଳେ ଅର୍ଦ୍ଧନିର୍ମିତ ହୋଇ ପଡ଼ିରହିଛି ବ୍ରିଜ । ତେବେ ଏହି କାମକୁ ରୁରନ୍ତ ଶେଷ କରିବା ପାଇଁ ଦାବି କରି ଗତ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ଏହି ଅର୍ଦ୍ଧନିର୍ମିତ ବ୍ରିଜ ଉପରେ ଧାରଣା ଦେବା ସହ ଅକ୍ଟୋବର ୨୪ରେ ଧାରଣା ଛାଡି ଆମରଣ ଅନଶନ କରିଥିଲେ ସମାଜସେବୀ ମୁକ୍ତିକାନ୍ତ ବିଶ୍ୱାଳ । ଆମରଣ ଅନଶନରେ ବସିଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି ମୁକ୍ତିକାନ୍ତ ।
ଦୀର୍ଘ ଛଅ ଦିନ ଧରି ଆମରଣ ଅନଶନ ଚାଲିଥିବା ବେଳେ ଏହି ବ୍ରିଜ ନିର୍ମାଣ ଦାବିରେ ଆଜି ରାସ୍ତା ରୋକ କରିବା ପାଇଁ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ । ଏହି ସମୟରେ ମୁକ୍ତିକାନ୍ତ ଅସୁସ୍ଥ ହୋଇପଡ଼ିଥିଲେ । ତେବେ ମୁକ୍ତିକାନ୍ତ ବିଶ୍ୱାଳ ଅସୁସ୍ଥ ହେବା ପରେ ତାଙ୍କୁ ଡାକ୍ତରୀ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମୁକ୍ତିକାନ୍ତ ଅକ୍ଟୋବର 2 ତାରିଖରୁ ବିକ୍ଷୋଭ ଆରମ୍ଭ କରି ପ୍ରାୟ ତିନି ସପ୍ତାହ ଧରି ଏହା ଚାଲିଥିଲା । ସ୍ଥାନୀୟ ପ୍ରଶାସନ ବା ସ୍ଥାନୀୟ ଜନ ପ୍ରତିନିଧିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ନଆସିବାରୁ ୨୨ ଦିନର ଲଗାତାର ଆନ୍ଦୋଳନ ଧାରଣା ପରେ ଅକ୍ଟୋବର ୨୪ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ଯାଏ ଆମରଣ ଅନଶନରେ ବସିଥିଲେ ମୁକ୍ତିକାନ୍ତ ।
ଏହା ମଧ୍ୟ ପଢ଼ନ୍ତୁ......ଅର୍ଦ୍ଧନିର୍ମିତ ବ୍ରିଜ୍ ସମ୍ପୂର୍ଣ୍ଣ ଦାବିରେ ସମାଜସେବୀ ମୁକ୍ତିକାନ୍ତଙ୍କ ଧାରଣା