ରାଉରକେଲା:ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । FIH ପୁରୁଷ ହକି ବିଶ୍ବକପରେ ଅନ୍ତିମ ପୁଲ ମ୍ୟାଚ ଖେଳିବ ଭାରତ । କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ବିପକ୍ଷରେ ଖେଳିବ ଭାରତ । ପଏଣ୍ଟ ଟେବୁଲରେ ଭଲ ପଏଣ୍ଟ ସହ ସ୍ଥାନ ହାସଲ କରିବାକୁ ହେବେ ଭାରତକୁ ଏକ ବଡ ମାର୍ଜିନରେ ଜିତିବାକୁ ହେବ ବୋଲି କହିଛନ୍ତି ବରିଷ୍ଠ କୋଚ କାଳୁ ଚରଣ ଚୌଧୁରୀ ।
ଆଜି ଭାରତ ପାଇଁ ଏକ ପ୍ରକାର କର ବା ମର ସ୍ଥିତି ସଦୃଶ ହେବ । ଏକ ହୋଇ ସମ୍ପୂର୍ଣ୍ଣ ଟିମ୍ ଆଟାକିଂ ଗେମ୍ ଖେଳିବା ଆବଶ୍ୟକ। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିବା ଭାରତୀୟ ହକି ଦଳ ଆଜି ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୱେଲ୍ସ ଦଳକୁ ଭେଟିବ । ରାଉରକେଲାରେ ଖେଳିଥିବା ଦୁଇଟି ମ୍ୟାଚ୍ରେ ଭାରତୀୟ ହକି ଦଳ ସ୍ପେନ୍ ବିପକ୍ଷରେ ବିଜୟ ହାସଲ କରିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ ଡ୍ର' ହୋଇଛି । ଫଳରେ ଦଳ ଏବେ ଇଂଲଣ୍ଡ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛରେ ରହିଛି । ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିବାକୁ ହେଲେ ପୁଲ୍’ର ଶୀର୍ଷ ସ୍ଥାନ ଦଖଲ କରିବାକୁ ହେବ । ତେଣୁ ଆଜି ମ୍ୟାଚ୍ରେ ବଡ଼ ବ୍ୟବଧାନରେ ଜିତି ପୁଲ୍-ଡି’ର ଶୀର୍ଷ ସହ ସିଧାସଳଖ କ୍ବାର୍ଟରଫାଇନାଲ୍ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ଭାରତ ।