ରାଉରକେଲା:ହକି ବିଶ୍ବକପ ପାଇଁ ଦିନ ନିକଟତର ହେଉଛି । ଦିନ ପାଖେଇବା ସହ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢୁଛି । ହକି ମହାକୁମ୍ଭ ନେଇ ଅନଲାଇନ ଟିକେଟ ବିକ୍ରି ଚାଲିଥିବାବେଳେ ଖୁବ ଶୀଘ୍ର ଅଫଲାଇନ ଟିକେଟ ବିକ୍ରି ବ୍ୟବସ୍ଥା କରାଯିବ । ୨୨ ଡିସେମ୍ବରରୁ ୨୬ ଡିସେମ୍ବର ଯାଏ ଟିକେଟ ବିକ୍ରି ନେଇ ସୂଚନା ମିଳିଛି ।
ହକି ବିଶ୍ବକପ ଦେଖିବା ଆଶାରେ ଥିବା ସମସ୍ତ ଦର୍ଶକ ନିଶ୍ଚିନ୍ତ ରୁହନ୍ତୁ ସେମାନେ ମ୍ୟାଚ ଦେଖିବେ । ବିଶ୍ବକପକୁ ନେଇ ଲୋକଙ୍କ ଭିତରେ କ୍ରେଜ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିଶ୍ୱକପ ଆୟୋଜନ ନେଇ ସଜେଇ ହୋଇଛି ରାଉରକେଲା ସହର । ତେବେ ଦର୍ଶକ ମାନଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ସେମାନେ କିଭଳି ଏବଂ କେବେ ଅଫଲାଇନ ଟିକେଟ କରିବେ । ତେବେ ଅନଲାଇନରେ ଟିକେଟ ରେକର୍ଡ ସମୟ ମାତ୍ର ଗୋଟିଏ ଦିନରେ ଶେଷ ହୋଇଯାଇଥିଲା ଯାହା ସୁନ୍ଦରଗଡ଼ବାସୀଙ୍କ ହକି ପ୍ରତି ପ୍ରେମ ଓ ହକି ବିଶ୍ୱକପର କ୍ରେଜକୁ ଦର୍ଶାଇଥିଲା । ରାଉରକେଲା ସହରରେ ମୋଟ ୨୦ଟି ମ୍ୟାଚ ଖେଳାଯିବ । ଅନଲାଇନ ଟିକେଟ ବିକ୍ରି ଚାଲିଥିବାବେଳେ ଖୁବଶୀଘ୍ର ଅଫଲାଇନରେ ଟିକେଟ ବିକ୍ରି ପାଇଁ କାଉଣ୍ଟରର ବ୍ୟବସ୍ଥା କରାଯିବ । କିଭଳି ଭାବରେ କେହି ଦର୍ଶକ ଖେଳ ଦେଖିବାରୁ ବଞ୍ଚିତ ନହୁଅନ୍ତି ପ୍ରଶାସନ ଏହା ପ୍ରତି ଯତ୍ନବାନ ଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ।
ସୂଚନାଯୋଗ୍ୟ ଯେ, ଆଗାମୀ ଡିସେମ୍ବର ୨୨ ରୁ ୨୬ ମଧ୍ୟରେ ଅଫଲାଇନ ଟିକେଟ ବିକ୍ରି ବ୍ୟବସ୍ଥା କରାଯିବ । କେହି ଟିକେଟ ପାଇଁ ଚିନ୍ତା କରନ୍ତୁ ନାହିଁ କାରଣ ଆହୁରି ୪୦ ପ୍ରତିଶତ ଟିକେଟ ଅଫଲାଇନରେ ବିକ୍ରି ହେବ । ଟିକେଟ ମିଳିବାରେ ଟିକେ ବିଳମ୍ବ ହୋଇଛି କିନ୍ତୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ଟିକେଟ ମିଳିବ ବୋଲି ସୂଚନା ଦିଆଯାଇଛି । ଯେଉଁମାନେ ଟିକେଟ ପାଇବାରୁ ବଞ୍ଚିତ ହେବେ ସେମାନଙ୍କ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ସମସ୍ତ ଛକରେ ଏଲଇଡି ଟିଭି ଲାଗିଛି ଯେଉଁଥିରେ ଲୋକେ ସିଧାସଳଖ ହକି ବିଶ୍ୱକପକୁ ଉପଭୋଗ କରି ପାରିବେ ।