ରାଉରକେଲା: ପୁରୁଷ ହକି ବିଶ୍ବକପ ପାଇଁ ପାଖଉଛି ଦିନ । ଏ ନେଇ ସଜେଇ ହେଉଛି ସ୍ମାର୍ଟ ସିଟିଠୁ ନେଇ ଶିଳ୍ପ ନଗରୀ ରାଉରକେଲା । 2023 ଜାନୁଆରୀ 13 ତାରିଖରୁ ହକି ବିଶ୍ବକପ ଆରମ୍ଭ ହେବ । 29 ଜାନୁଆରୀରେ କଳିଙ୍ଗ ଷ୍ଟାଡିଅମରେ ଖେଳାଯିବ ଫାଇନାଲ ମ୍ୟାଚ । ସୁନ୍ଦରଗଡରେ ହକି ଫିବର ଦେଖିବାକୁ ମିଳିଛି । ହକି ବିଶ୍ବକପକୁ ନେଇ ଚଳଚଞ୍ଚଳ ସାରା ଜିଲ୍ଲା । ସମଗ୍ର ଜିଲ୍ଲାରେ ଏକ ଉତ୍ସବର ବାତାବରଣ ସୃଷ୍ଟି କରିବା ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ । ହକିକୁ ବିଶେଷ ଅବଦାନ ଦେଇଥିବା ବାଲିଶଙ୍କରା ବ୍ଲକର ସଉନାମରା ଗାଁରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି । ଏଥିରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଓ ସାଂସଦ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲା ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶୁଭାରମ୍ଭ ଏହି ଅବସରରେ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତ ସ୍ତରରେ ଏକା ସଙ୍ଗେ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ବ୍ଲକ ସ୍ତର ହୋଇ ଜିଲ୍ଲା ସ୍ତରରେ ପହଞ୍ଚିବ । ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକର ୨୭୯ଟି ଗ୍ରାମପଞ୍ଚାୟତକୁ ଯୋଡ଼ି ଏହି ବ୍ୟାପକ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏଥିରେ ହକି ଲାଗି ୮୦୦ରୁ ଅଧିକ ଏବଂ ଫୁଟବଲ ଲାଗି ୧୧୦୦ରୁ ଅଧିକ ଟିମ ପଞ୍ଜୀକରଣ କରିଛନ୍ତି । ପ୍ରାୟ ୧ ମାସ ଧରି ଏହି ପ୍ରତିଯୋଗିତା ଚାଲିବ । ସୁନ୍ଦରଗଡ଼ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କ ଅଧ୍ୟକ୍ଷତାରେ ସଉନାମରା ହାଇସ୍କୁଲ ପଡ଼ିଆଠାରେ ଗତକାଲି (ମଙ୍ଗଳବାର) ଏହି ସ୍ବତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା ।
ଏଥିରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ହକି ବିଶ୍ବକପକୁ ସ୍ବଗତ କରିବା ପାଇଁ ଜିଲ୍ଲାବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି । ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ ସହିତ ସ୍କୁଲ, କଲେଜ ସ୍ତରରେ ମଧ୍ୟ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯିବ । ଜନସାଧାରଣଙ୍କ ସହଯୋଗରେ ବିଶ୍ବକପକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବା ଲାଗି ପ୍ରଶାସନ ପକ୍ଷରୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ।
ଜିଲ୍ଲାବ୍ୟାପୀ ହେଉଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଡ଼ି ହେବା ଲାଗି ଜିଲ୍ଲାପାଳ ଏହି ଅବସରରେ ଅନୁରୋଧ କରିଛନ୍ତି । ହକି ବିଶ୍ବକପ ପାଇଁ ସ୍କୁଲ ଏବଂ କଲେଜ ସ୍ତରରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିବାକୁ ପ୍ରଶାସନ ପ୍ରସ୍ତୁତି କରିଛି । ଛାତ୍ରଛାତ୍ରୀଙ୍କ ଭିତରେ ବ୍ୟାଡମିଣ୍ଟନ, ଭଲିବଲ, କବାଡ଼ି, ଖୋଖୋ, ହକି ଏବଂ ଫୁଟବଲ ପ୍ରତିଯୋଗିତା କରାଯାଇ ଜିଲ୍ଲାବ୍ୟାପୀ ଏକ କ୍ରୀଡ଼ାର ପରିବେଶ ସୃଷ୍ଟି କରାଯିବ । ଏହାଛଡ଼ା ଛାତ୍ରଛାତ୍ରୀଙ୍କ ଭିତରେ ବିଭିନ୍ନ ସର୍ଜନାତ୍ମକ ପ୍ରତିଯୋଗିତା ମଧ୍ୟ କରାଯିବ । ସୁନ୍ଦରଗଡ଼ ଜିଲ୍ଲାରେ ବହୁ ଆଦିବାସୀ ନୃତ୍ୟ, ଲୋକନୃତ୍ୟ ଏବଂ ଲୋକସଙ୍ଗୀତ ଦଳ ରହିଛନ୍ତି । ହକି ବିଶ୍ବକପ ଅବସରରେ ହେଉଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରାଯିବ । ଏହି ସାଂସ୍କୃତିକ ଦଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରରେ ପୁରସ୍କୃତ କରାଯିବ ।
ଇଟିଭି ଭାରତ, ସୁନ୍ଦରଗଡ