ରାଉରକେଲା: ଚିୟରଅଫରେ କମ୍ପିଲା ଷ୍ଟାଡିୟମ । ହକିପ୍ରେମୀଙ୍କ ଭିଡରେ ଷ୍ଟାଡିୟମ ଫୁଲ । ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପର 13ତମ ସଂସ୍କରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଓଡିଶା ଓ କେରଳ ମଧ୍ୟରେ ମ୍ୟାଚ ରହିଥିଲା । ଏହି ମୁକାବିଲାରେ ଓଡିଶା ଦଳ ଗୋଲ ବର୍ଷା କରିଥିଲା । ଏହି ମ୍ୟାଚରେ ଘରୋଇ ଗ୍ରାଉଣ୍ଡରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡିଶା । ଘରୋଇ ଗ୍ରାଉଣ୍ଡରେ କେରଳକୁ 20-0ରେ ଏକତରଫା ବିଜୟ ହାସଲ କରିଛି ଓଡିଶା ମହିଳା ଜୁନିୟର ହକି ଦଳ ।
ଉପ କନିଷ୍ଠ ଜାତୀୟ ହକି ଚମ୍ପିଆନସିପ ପ୍ରଥମ ଦିନରେ 4ଟି ମ୍ୟାଚ ଖେଳାଯାଇଥିଲା । ପୁଲ-ଇରେ ସ୍ଥାନ ପାଇଥିବା ଆୟୋଜକ ଓଡିଶା ଓ କେରଳ ମଧ୍ୟରେ ଏକ ମ୍ୟାଚ ରହିଥିଲା । ଏହି ମ୍ୟାଚରେ ଓଡିଶା ଦମଦାର ବିଜୟ ହାସଲ କରିଛି । କେରଳକୁ 20-0 ଗୋଲରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି ଓଡିଶା । କେରଳ ଦଳ ଗୋଟିଏ ବି ଗୋଲ କରି ପାରି ନଥିଲା । ଓଡିଶା ମହିଳା ଦଳ ଗୋଲ ପରେ ଗୋଲ ବର୍ଷା କରି ମ୍ୟାଚଟିକୁ ଏକତରଫା ହାତେଇ ନେଇଥିଲା । ଅନ୍ୟ ମ୍ୟାଚ ଗୁଡିକରେ ଚଣ୍ଡିଗଡ ଗୋଆକୁ 25-0 ବୃହତ ଗୋଲ ବ୍ୟବଧାନରେ ପରାସ୍ତ କରିଛି । ସେହପରି ମଣିପୁର 3-0 ଗୋଲରେ ଗୁଜୁରାଟକୁ ପରାସ୍ତ କରିଛି । ପଞ୍ଜାବ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ହୋଇଥିବା ମ୍ୟାଚ 3-3 ଗୋଲରେ ଡ୍ର ହୋଇଛି । ଆସନ୍ତାକାଲି(ଶନିବାର) ଓଡିଶା ରାଜସ୍ଥାନକୁ ଭେଟିବ ।
ଆଜିର ମ୍ୟାଚ:ଉପ କନିଷ୍ଠ ମହିଳା ଜାତୀୟ ହକି ଚମ୍ପିଆନସିପ ଦ୍ବିତୀୟ ଦିନରେ ଆଜି ମଧ୍ୟ 4ଟି ମ୍ୟାଚ ରହିଛି । ପୁଲ-ଏଚର ଦୁଇଟି ମ୍ୟାଚ ରହିଥିବା ବେଳେ ପୁଲ-ଇ ଓ ପୁଲ-ଜିର ଗୋଟିଏ ମ୍ୟାଚ ରହିଛି । ପୁଲ-ଜିରେ ବିହାର ଓ ତେଲେଙ୍ଗାନା ମଧ୍ୟରେ ମ୍ୟାଚ ଥିବାବେଳେ ପୁଲ-ଇରେ ମିଜୋରାମ ଓ ରାଜସ୍ଥାନ ମଧ୍ୟରେ ମ୍ୟାଚ ଖେଳାଯିବ । ପୁଲ-ଏଚରେ ମହାରାଷ୍ଟ୍ର ଓ ଡାମଡିୟୁ ମଧ୍ୟରେ ମୁକାବିଲା ଥିବା ବେଳେ କର୍ଣ୍ଣାଟକ ଓ ପୁଡୁଚେରୀ ମଧ୍ୟରେ ଆଉ ଏକ ମ୍ୟାଚ ରହିଛି ।