ରାଉରକେଲା: ଲୋକଙ୍କ ପାଖରେ ସମ୍ବାଦ ପହଞ୍ଚାଇବାରେ ମୂଳ ସ୍ରୋତ ହେଉଛନ୍ତି ହକର । ହକର ମାନଙ୍କ ପାଇଁ ସାଧାରଣ ଲୋକେ ଆଜି ପ୍ରତିଦିନର ରାଜ୍ୟ ତଥା ଦେଶ ବିଦେଶର ଖବର ପଢି ପାରୁଛନ୍ତି । କହିବାକୁ ଗଲେ ସାଧାରଣ ଜନତାଙ୍କ ନିକଟରେ ଖବର ପହଞ୍ଚାଇବାର ମୁଖ୍ୟ ସ୍ରୋତ ହେଉଛନ୍ତି ହକର । ତେଣୁ କରି ରାଜ୍ୟ ସରକାର ହକର ମାନଙ୍କୁ ତାଙ୍କର ମୌଳିକ ଅଧିକାର ଦେବା ପାଇଁ ହକର୍ସ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ରାଉରକେଲା ହକର୍ସ ଆସୋସିଏସନ ଏବଂ ସିଟୁ ଦଳ ନିଜର ଦାବି ରଖିଛନ୍ତି ।
ତେବେ ସେହି ଦାବି ଗୁଡିକ ହେଲା ହକର୍ସ ମାନଙ୍କ ପାଇଁ କଲ୍ୟାଣ ବୋର୍ଡ ଗଠନ, ହକର୍ସ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ, ରାଜଧାନୀ ସମେତ ସବୁ ଜିଲ୍ଲାରେ ହକର୍ସ ଆସୋସିଏସନ ମାନଙ୍କୁ ଅଫିସ ପାଇଁ ଜମି । ସେହିପରି ଖବରକାଗଜ ମଣ୍ଡିରେ ସେଡ ପାଇଁ ପ୍ରକଳ୍ପ, ଖବର କାଗଜ ବିକ୍ରେତା ଯଥା ହକର୍ସ ମାନଙ୍କୁ ସାମାଜିକ ସୁରକ୍ଷା ଦେବା ଆଦି ଦାବିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ହକର୍ସ ଆସୋସିଏସନ । ତେବେ ଏହାକୁ ନେଇ ଆସନ୍ତା ୨ ତାରିଖରେ ରାଜଧାନୀ ଭୁବନେଶ୍ବରରେ ଏକ ଆଲୋଚନା ସଭା ଆୟୋଜିତ ହେବ । ଯେଉଁଥିରେ ରାଜ୍ୟର ସମସ୍ତ ଜିଲ୍ଲାର ହକର୍ସ ସଙ୍ଘର ମୁଖ୍ୟ, ଖବରକାଗଜ ମାଲିକ ଏବଂ ସମ୍ପାଦକ ଉପସ୍ଥିତ ରହିବେ । ଏହା ସହ ହକର ମାନଙ୍କ ମୌଳିକ ସୁବିଧା ଉପରେ ଏକ ଆଲୋଚନା ଚକ୍ର ହେବ।