ରାଉରକେଲା: ଟଳିଲା ବଡ଼ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ । ବଗି ଛାଡି ଚାଲିଗଲା ଇଞ୍ଜିନ । ରାଉରକେଲା ବାସନ୍ତୀ କଲୋନି ଓଭରବ୍ରିଜ ନିକଟରେ ହାୱଡାରୁ ମୁମ୍ବାଇ ଯାଉଥିବା ମାଲବାହୀ ଟ୍ରେନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଛି । ଦୁଇଟି ବଗିକୁ ସଂଯୋଗ କରୁଥିବା କପ୍ ଲିଙ୍କ୍ ଭାଙ୍ଗିଯିବାରୁ ଇଞ୍ଜିନ ଓ ଅଧା ବଗି ଅଲଗା ହୋଇଯାଇଥିଲା । ସୌଭାଗ୍ୟ ବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।
ରାଉରକେଲା ବାସନ୍ତୀ କଲୋନି ଓଭରବ୍ରିଜଠାରୁ ପ୍ରାୟ 1 କିଲୋମିଟର ଦୂରରେ ଏହି ଅଘଟଣ ଘଟିଥିବା ବେଳେ ଇଞ୍ଜିନ ଏବଂ ସଂଲଗ୍ନ ଆଠଟି ବଗି ଟ୍ରେନ ପଛ ଭାଗରୁ ଅଲଗା ହୋଇ ଅଟକି ଯାଇଥିଲା । ଏହାପରେ 12ରୁ ଅଧିକ ବଗିକୁ ଘଟଣାସ୍ଥଳରେ ଛାଡ଼ି ଯାଇଥିଲା ଇଞ୍ଜିନ । ଫଳରେ ମୁମ୍ବାଇ-ହାୱଡ଼ା ମାଲବାହୀ ଟ୍ରେନ୍ଟି ପ୍ରାୟ 3 ଘଣ୍ଟା ଧରି ଅଟକି ରହିଥିଲା । ମୁମ୍ବାଇ ଓ ହାଓ୍ୱଡ଼ା ଯାତ୍ରା ପାଇଁ ପଛକୁ ପଛ ଟ୍ରେନ୍ ଲାଗି ରହିଥିଲା । ଫଳରେ ଯାତ୍ରୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । ଭୁବନେଶ୍ୱରରୁ ରାଉରକେଲାକୁ ଯାତାୟାତ କରୁଥିବା ଇଣ୍ଟରସିଟି ଯାତ୍ରୀମାନେ ମଧ୍ୟ ଅସୁବିଧା ଭୋଗିଥିଲେ । ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳବାଇର ବୈଷୟିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କପ୍ ଲିଙ୍କର ଭଙ୍ଗାରୁଜା ଯୋଗୁଁ ଟ୍ରେନଟି ଏଭଳି ଘଟଣା ଘଟିଛି । ଏହାର ମୂଳ କାରଣ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳା ବୋଲି ଜଣାପଡ଼ିଥିବା ବେଳେ ବିଫଳତା ପଛରେ ପ୍ରକୃତ କାରଣ କ'ଣ ରହିଛି ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି ।