ରାଉରକେଲା: ପାଖେଇ ଆସିଲାଣି ପ୍ରଭୁ ଶ୍ରୀରାମଙ୍କ ଆଗମନର ସମୟ । ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବ ରାମଲାଲାଙ୍କ ବିଗ୍ରହର । ଏହାକୁ ନେଇ ସମ୍ପୂର୍ଣ୍ଣ ଦେଶରେ ଆଧ୍ୟାତ୍ମିକ ମାହୋଲ ସହ ଲୋକଙ୍କ ମଧ୍ୟ ରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି । ତେବେ ଏହାକୁ ନେଇ ରାଉରକେଲା ସହର ମଧ୍ୟ ଉତ୍ସାହିତ ହୋଇ ଉଠିଛି । ପୂର୍ବରୁ ରାଉରକେଲା ସହରରେ ବିଶ୍ବର ସର୍ବବୃହତ ଦୀପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଭୁ ଶ୍ରୀ ରାମଙ୍କ ସମର୍ପଣ ରେ ଏହାକୁ ପ୍ରଜ୍ଵଳନ କରାଯିବାର ଯୋଜନା ଥିବା ବେଳେ ଏହାକୁ ପ୍ରଜ୍ଵଳନ କରିବେ ରାଜ୍ୟପାଳ ରଘୁବର ଦାସ । ଏହାକୁ ନେଇ ସୂଚନା ଦେଇଛନ୍ତି ହନୁମାନ ବାଟିକା କମିଟି ଏବଂ ସ୍ମାଇଲ ଫୋର ଏଭର ସଂଗଠନ । ସ୍ଥାନୀୟ ହନୁମାନ ବାଟିକାରେ ଆସନ୍ତା ୨୨ ତାରିଖ ଶ୍ରୀ ରାମ ମନ୍ଦିର ଅଯୋଧ୍ୟାରେ ଉଦଘାଟନ ସହ ରାଉରକେଲାରେ ସନ୍ଧ୍ୟା ୫ଟାରେ ଏହି ଦୀପ ଜଳିବ ଏବଂ ପ୍ରଭୁଙ୍କୁ ଦୀପ ଅର୍ପଣ କରାଯିବ । ଏହି ଉତ୍ସବରେ ରାଜ୍ୟପାଳ ଯୋଗଦେବେ ।
ମାଟି ତିଆରି ଏହି ଦୀପର ଉଚ୍ଚତା ସାଢ଼େ ୫ ଫୁଟ ଓ ଗୋଲେଇ ୧୨ ଫୁଟ ଅଟେ । ଏହି ବିଶାଳକାୟ ଦୀପରେ ୬ ହଜାର ଲିଟରରୁ ଅଧିକ ଘିଅ ରହିପାରିବ । ଏଥିରେ ଲାଗିବାକୁ ଥିବା ୩୪ ଫୁଟ ବିଶିଷ୍ଟ ବଡ଼ ବଳିତା ମଧ୍ୟ ଅଣାଯାଇଛି । ଏହାଛଡ଼ା ଦୀପ ସମ୍ମୁଖରେ ପ୍ରଭୁ ଶ୍ରୀରାମଙ୍କ ୧୧ ରୁ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ଏକ ମୂର୍ତ୍ତି ରହିବ । ଉଭୟ ଦୀପ ଓ ଭଗବାନ ରାମଙ୍କ ମୂର୍ତ୍ତି ଗୋଟିଏ ଫ୍ରେମ୍ରେ ନିର୍ମାଣ ହୋଇଛି । ଏହି ଦୀପ ଆସନ୍ତା ୨୧ ତାରିଖ ଦିନ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ଜନବସତି ଅଞ୍ଚଳ ପରିକ୍ରମା କରିବ । ରାମ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହ ରାଜ୍ୟପାଳଙ୍କ ଦ୍ବାରା ମହାଦୀପ ପ୍ରଜ୍ବଳନରେ ସାମିଲ ହେବାକୁ ନିମନ୍ତ୍ରଣ କରାଯିବ ।