ରାଉରକେଲା: ପୋଷ୍ଟ ଅଫିସ ଏବଂ ଏଲଆଇସିର ବିଭିନ୍ନ ସ୍କିମ ସହ ଋଣ କରାଇଦେଵା ନାମରେ ଠକେଇ ମାମଲା । ଦୀର୍ଘ ୩ ବର୍ଷ ପରେ ଠକକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । କୋଟି କୋଟି ଟଙ୍କା ଠକେଇ କରି ଚୂନ ଲଗାଇଥିବା ଦୁର୍ବୃତ୍ତ । ଗିରଫ ଯୁବକ ହେଲେ ଶ୍ରୀବତ୍ସ ଲାଞ୍ଛନ ବାରିକ ।
ପୋଷ୍ଟାଲ, ଏଲଆଇସିରେ ଇନ୍ସୁରାନ୍ସ ସହ ବିଭିନ୍ନ ସ୍କିମରେ ଡିପୋଜିଟ କରିବା ଏବଂ ଋଣ କରାଇ ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ଦୁଇ କୋଟିରୁ ଅଧିକ ଟଙ୍କା ହଡପ କରି ଚମ୍ପଟ ମାରିଥିଲେ ଅଭିଯୁକ୍ତ । ଲୋକଙ୍କ ଟଙ୍କା ବୁଡିବାରୁ ଚିନ୍ତାରେ ଆସିଗଲେ ଲୋକେ । ଫୋନ କରିବାରୁ ବା ସମ୍ପର୍କ କରିବାରୁ ଆଉ ଧରା ଛୁଆଁ ଦେଲେନାହିଁ ବ୍ୟକ୍ତି ଜଣକ । ତେବେ ତାଙ୍କୁ ଭରସା କରି ଟଙ୍କା ଦେଇଥିବା ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ, କିନ୍ତୁ କୌଣସି ସନ୍ଧାନ ପାଇନଥିଲେ । ଏହାପରେ ହତାଶ ହୋଇ ଠକାମିରେ ଶିକାର ହୋଇଥିବା ଜଣେ ବ୍ୟକ୍ତି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଆକ୍ସନକୁ ଆସିଥିଲା । ପୋଲିସ ଅଭିଯୁକ୍ତକୁ ପ୍ରଥମେ ରାଉରକେଲା ସହର ସହ ସମ୍ପୂର୍ଣ୍ଣ ଜିଲ୍ଲାରେ ଖୋଜାଖୋଜି କରିଥିଲା କିନ୍ତୁ ଅଭିଯୁକ୍ତର ଖୋଜ ଖବର ପାଇ ନଥିଲା ପୋଲିସ । ତେବେ ଦୀର୍ଘ ତିନି ବର୍ଷ ପରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅଞ୍ଚଳରୁ ଠକକୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ ।
ଶ୍ରୀବତ୍ସ ଲାଞ୍ଛନ ବାରିକ ୨୦୧୯ ମସିହା ପୂର୍ବରୁ ପୋଷ୍ଟାଲ ଆଉ ଏଲାଇସି ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ । ସେକ୍ଟର ୭ ଥାନା ଅନ୍ତର୍ଗତ କବିସମ୍ରାଟପଲ୍ଲୀର ରହିବା ସହ ସେକ୍ଟର ୪ରେ ଲକ୍ଷ୍ମୀ ମାର୍କେଟରେ ଏକ କାର୍ଯ୍ୟାଳୟ କରିଥିଲେ । କିଛି ଦିନ ଭଲରେ କାମ କରିବା ପରେ ଆରମ୍ଭ କରିଦେଇଥିଲେ ଠକେଇ । ବିଭିନ୍ନ ସ୍କିମ କହି ଗୋଲଘର ସହ କବିସମ୍ରାଟପାଲି ସମେତ ବିଭିନ୍ନ ସେକ୍ଟର ଅଞ୍ଚଳରେ ଲୋକଙ୍କୁ ପୋଷ୍ଟାଲ ଓ ଏଲଆଇସିରେ ଟଙ୍କା ଡିପୋଡିଟ କରିବା ପାଇଁ କହୁଥିଲେ । ଲୋକେ ଭରସା କରି ଟଙ୍କା ମଧ୍ୟ ତାଙ୍କୁ ଦେଇଥିଲେ । ଏପରିକି ଅନେକ ଲୋକଙ୍କୁ ଲୋନ କରେଇ ଦେବାର ପ୍ରଲୋଭନ ମଧ୍ୟ ଦେଇ ଅର୍ଥ ଆଦାୟ କରୁଥିଲେ ।