ସୁନ୍ଦରଗଡ:ପୋଲିସ ହାବୁଡରେ ପଡିଲା ୪୨୦ ଠକ । ଗିରଫ ଠକ ନିଜକୁ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସବ ଇନସ୍ପେକ୍ଟରର ପରିଚୟ ଦେଇ ଲେଫ୍ରିପଡା ଥାନା ଅଧିକାରୀଙ୍କୁ ଠକିଥିଲା । ଠକକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ଚତୁର୍ଭୁଜ ତରାଇ ଓରଫ ମାନସ ଦାସ ଓରଫ ଦୀପକ ପଣ୍ଡା । ଏହି ତିନୋଟି ନାଁ ରଖି ସେ ସମସ୍ତଙ୍କୁ ଠକି ଚାଲିଥିଲା । ବୈଶିଙ୍ଗା ଏସଆଇ ଦୀପକ ପଣ୍ଡା ନାମରେ ଏକ ଫେକ ଫେସବୁକ ଆଇଡି ଖୋଲି ସେ ରାଜ୍ୟର ବହୁ ପୋଲିସଙ୍କୁ ତା ବନ୍ଧୁତ୍ୱ ଜାଲରେ ଫସାଇ ସେମାନଙ୍କୁ ଭୁଆଁ ବୁଲାଉଥିଲା ।
ଆଉ ଟଙ୍କା ବି ଚଳୁ କରୁଥିଲା । କାହାକୁ ଭୁବନେଶ୍ୱରେ ପାଖାପାଖି ରହିବା ନେଇ ଜମି କିଣିବା ବାହାନାରେ ତ ପୁଣି କାହାକୁ ପୋଲିସ କନେଷ୍ଟବଳ, ଶିକ୍ଷକ, ଡାଟା ଏଣ୍ଟ୍ରି ଅପରେଟର ପରି ଚାକିରି କରାଇଦେବା ନାଁ ଚଳୁ କରିଥିଲା ଲକ୍ଷାଧିକ ଟଙ୍କା । ଏହି ସମସ୍ତ ତଥ୍ୟ ଟାଉନ ପୋଲିସର ତଦନ୍ତରେ ଜଣାପଡିଛି । ତେବେ ଅଭିଯୁକ୍ତ ଲେଫ୍ରିପଡା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡିଆଙ୍କ ସହିତ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଥିଲା । ତାଙ୍କୁ ଠକାମୀର ଜାଲରେ ମଧ୍ୟ ପକାଇଥିଲା । ଭୁବନେଶ୍ୱରରେ 4 ଡିସିମିଲ ଜାଗା କିଣି ଦେବା ନେଇ ସେ ହେମାଙ୍ଗିନୀ ଗର୍ଡିଆଙ୍କ ଠାରୁ ପ୍ରଥମ ଦଫାରେ 1,20,000 ଟଙ୍କା, ଦ୍ୱିତୀୟ ଦଫାରେ 3, 30, 000 ଟଙ୍କା ନେଇ ସାରିବା ପରେ ଜମି ରେଜିଷ୍ଟ୍ରେସନର ନାଁ ଗନ୍ଧ ଧରୁ ନ ଥିଲା ।