ଓଡିଶା

odisha

ETV Bharat / state

ସରିଲା ଦୀର୍ଘବର୍ଷର ଅପେକ୍ଷା, ରାଉରକେଲାରୁ ଉଡିଲା ବିମାନ - ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ରାଉରକେଲା ବିମାନ ବନ୍ଦରରୁ ଉଡ଼ିଲା ବିମାନ । ଆଲାଇନ୍ସ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ବିମାନ ସେବା ଆରମ୍ଭ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଥିବାବେଳେ ଭୁବନେଶ୍ବରରେ ପତାକା ଦେଖାଇ ବିମାନ ଚଳାଚଳ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ରାଉରକେଲା ବିମାନ ବନ୍ଦରରୁ ଉଡ଼ିଲା ବିମାନ
ରାଉରକେଲା ବିମାନ ବନ୍ଦରରୁ ଉଡ଼ିଲା ବିମାନ

By

Published : Jan 7, 2023, 9:21 PM IST

ରାଉରକେଲା ବିମାନ ବନ୍ଦରରୁ ଉଡ଼ିଲା ବିମାନ

ରାଉରକେଲା: ସରିଲା ଦୀର୍ଘବର୍ଷର ପ୍ରତିକ୍ଷା । ପୂର୍ଣ୍ଣ ହେଲା ରାଉରକେଲାବାସୀଙ୍କ ସ୍ବପ୍ନ । ଶନିବାର ପ୍ରଥମ ଥର ପାଇଁ ଉଡ଼ିଛି ରାଉରକେଲା ଏୟାରପୋର୍ଟରୁ ବିମାନ । ଆଲାଇନ୍ସ ଏୟାର ଲାଇନ୍ସ ପକ୍ଷରୁ ପ୍ରଥମ କରି ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ଏହି ବିମାନ ସେବା ଆରମ୍ଭ କରାଯାଇଛି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ରାଉରକେଲାବାସୀ ଧନ୍ୟବାଦ ଜଣାଇବା ସହିତ ନିୟମିତ ବିମାନ ସେବା ଯୋଗାଇଦେବାକୁ ଦାବି ଜଣାଇଛନ୍ତି ।

ପ୍ରଥମ ଦିନରେ ପାରମ୍ପରିକ ନୃତ୍ୟ ସହ ଢୋଲ ନଗଡ଼ାରେ ଦୁଲୁକିଲା ରାଉରକେଲା ଏୟାରପୋର୍ଟ । ଆଜିଠାରୁ ରାଉରକେଲା ବିମାନବନ୍ଦରରୁ ଦୈନିକ ବିମାନ ସେବା ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ବିମାନ ସେବାକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରରେ ପତାକା ଦେଖାଇ ଏହି ବିମାନ ଚଳାଚଳ ଶୁଭାରମ୍ଭ କରିଛନ୍ତି । ସକାଳ ୧୦ଟା ୪୫ ମିନିଟ୍‌ରେ ଆଲିଆନ୍ସ ଏୟାର ଲାଇନ୍ସର ATR-72 ଭୁବନେଶ୍ବର ବିମାନବନ୍ଦରରୁ ରାଉରକେଲା ବାହାରି ମଧ୍ୟାହ୍ନ ୧୨ଟା ସମୟରେ ରାଉରକେଲା ବିମାନବନ୍ଦରରେ ଅବତରଣ କରିଥିଲା । ପୁଣି ରାଉରକେଲା ବିମାନବନ୍ଦରରୁ ବାହାରି ଭୁବନେଶ୍ବର ଅଭିମୁଖେ ଉଡ଼ିଛି ବିମାନ ।

ବର୍ତ୍ତମାନ ଦୈନନ୍ଦିନ ଏଭଳି ବିମାନ ସେବା ଜାରି ରହିବ । ରାଉରକେଲାରୁ ଭୁବନେଶ୍ବର ବିମାନ ଭଡା ୨୭୨୧ ଟଙ୍କା ରହିଥିଲାବେଳେ ଭୁବନେଶ୍ବରରୁ ରାଉରକେଲା ବିମାନଭଡା ୨୮୩୦ ଟଙ୍କା ରହିଛି । ତେବେ ରାଉରକେଲା- ଭୁବନେଶ୍ବର ନିୟମିତ ବିମାନ ସେବା ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବାର ସୂଚନା ମିଳିଛି । ଭୁବନେଶ୍ବରରୁ ୨ଟା ୫୫ରେ ବିମାନ ବାହାରି ରାଉରକେଲାରେ ୩ଟା ୪୦ମିନିଟରେ ପହଞ୍ଚିବ । ସେହିପରି ରାଉରକେଲାରୁ ୪ଟା ୧୫ରେ ଛାଡ଼ି ଭୁବନେଶ୍ବରରେ ୫ଟା ୧୦ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୩୦ ତାରିଖ ଅପରାହ୍ନରେ ରାଉରକେଲା ବିମାନବନ୍ଦରରେ ଆଲାଇନ୍ସ ଏୟାର ଏଟିଆର-୭୨ ବିମାନର ପରୀକ୍ଷଣ ଅବତରଣ ସଫଳତାର ସହ ସମ୍ପାଦନ ହୋଇଥିଲା । ଅପରାହ୍ନ ପ୍ରାୟ ୩ଟା ୨୦ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥିଲା । ୨୫ ମିନିଟ୍‌ ପରେ ଅର୍ଥାତ୍‌ ପ୍ରାୟ ୩ଟା ୪୫ ମିନିଟ୍‌ରେ ରାଉରକେଲାରୁ ଝାରସୁଗୁଡା ବିମାନବନ୍ଦର ଅଭିମୁଖେ ଉଡାଣ ଭରିଥିଲା । ତେବେ ଆଜି ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଛି ରାଉରକେଲା ବିମାନ ବନ୍ଦର । ଆଜି ପ୍ରଥମ ବିମାନରେ ରାଉରକେଲା ସହରବାସୀ ଭୁବନେଶ୍ବରରୁ ରାଉରକେଲାକୁ ଯାତ୍ରା କରିଥିଲେ । ତେବେ ଖୁବ କମ ସମୟ ମଧ୍ୟରେ ରାଉରକେଲାକୁ ପହଞ୍ଚିଛି ବିମାନ ।

ଏନେଇ ରାଉରକେଲାବାସୀ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ରାଉରକେଲାରୁ ଅନ୍ୟାନ୍ୟ ସ୍ଥାନକୁ ଯେଭଳି କୋଲକାତା, ହାଇଦ୍ରାବାଦ, ରାଞ୍ଚି, ଦିଲ୍ଲୀ, ମୁମ୍ବାଇ ଆଦି ସ୍ଥାନକୁ ମଧ୍ୟ ସିଧାସଳଖ ବିମାନ ସେବା ଯୋଗାଇଦେବାକୁ ଦାବି ଜଣାଇଛନ୍ତି । ରାଉରକେଲାବାସୀ ଆଜି ପ୍ରଥମ ଥର ପାଇଁ ରାଉରକେଲାକୁ ବିମାନ ଯୋଗେ ଆସି ଖୁବ ଖୁସି ଅଛନ୍ତି । ଆଜି ଏହି ଉଦ୍‌ଘାଟନ ଉତ୍ସବକୁ ମନୋରମ କରିବା ପାଇଁ ଆଦିବାସୀ ପାରମ୍ପରିକ ନୃତ୍ୟ ମଧ୍ୟରେ ଲୋକଙ୍କୁ ସ୍ବାଗତ କରାଯାଇଥିଲା ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details