ରାଉରକେଲା:ରକ୍ତାକ୍ତ ହେଲା ରକ୍ତ ସମ୍ପର୍କ ।ନୃଶଂସ ସାଜିଲା ଜନ୍ମଦାତା । ସ୍ତ୍ରୀର ପରକିୟା ପ୍ରୀତି ସନ୍ଦେହରେ ୪ ବର୍ଷର ପୁଅକୁ ହତ୍ୟା କଲା ବାପା । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ସହରର ଶୀତଳପଡା ବସ୍ତିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି । ଅଭିଯୁକ୍ତ ହେଉଛି ବସ୍ତିର ରାଜୁ ଲାକ୍ରା । ତା'ର ପତ୍ନୀ ଗୁନୁ ଲାକ୍ରାଙ୍କ ପରପୁରୁଷ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ସେ ନିଜର ୪ ବର୍ଷର ପୁଅ ଆର୍ଯ୍ୟନକୁ ହତ୍ୟା କରିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୋଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ମୁତାବକ, ରାଜୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଲାଗି ରହିଥିଲା । ଅନ୍ୟ ଜଣେ ଯୁବକଙ୍କ ସହ ପତ୍ନୀଙ୍କ ଅନୈତିକ ସମ୍ପର୍କ ଥିବା ରାଜୁ ସନ୍ଦେହ କରୁଥିଲା । ଯାହା କୁହାଯାଉଛି, ଗତକାଲି (ଶୁକ୍ରବାର) ରାଜୁ ଜଣେ ଯୁବକଙ୍କ ସହ ନିଜ ପତ୍ନୀଙ୍କୁ ଦେଖିଥିଲା । ସେମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଦୁହେଁ ଫେରାର୍ ହୋଇଯାଇଥିଲେ । ସ୍ତ୍ରୀର ଏଭଳି ବିଶ୍ବାସଘାତକତା ପାଇଁ ରାଗରେ ଅନ୍ଧ ହୋଇଯାଇଥିଲା ରାଜୁ । ପତ୍ନୀର ପରକ୍ରିୟା ପ୍ରୀତିର ରାଗ ସେ ୪ ବର୍ଷର ପୁଅ ଉପରେ ସୁଝାଇଥିଲା । ବାପା ହୋଇ ନିଜ ହାତରେ ଜନ୍ମକଲା ପୁଅର ଜୀବନ ନେଇ ଯାଇଥିଲା । ଏହି ଘଟଣାର ଶୀତଳପଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଏହାମଧ୍ୟ ପଢନ୍ତୁ: କାଶୀପୁର ପୂର୍ବତନ ଯୁବ କଂଗ୍ରେସ ସଭାପତିଙ୍କୁ କୁରାଢୀରେ ହାଣି ନିର୍ମମ ହତ୍ୟା