ସୁନ୍ଦରଗଡ: ପଡିଆ ଜମିରେ ଫଳ ଚାଷକୁ ପ୍ରୋତ୍ସାହନ । ସୁନ୍ଦରଗଡ ଜିଲ୍ଲାର ଆଦିବାସୀ ବର୍ଗଙ୍କ ଚାଷୀ ମାନଙ୍କୁ ଦୀର୍ଘସ୍ଥାୟୀ ଜୀବିକା ଯୋଗାଇ ଦେବା ନେଇ ବିଭିନ୍ନ ପ୍ରକାର ଫଳ ଚାଷ କରାଯାଉଛି । ଚାଷୀ ସେମାନଙ୍କ ପଡିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି । ଏନେଇ ସୁନ୍ଦରଗଡ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରାକୃତିକ ଚାଷ ଉପରେ ଗୁରୁତ୍ବ ଦେବା ସହ ଆବଶ୍ୟକ ପ୍ରୋତ୍ସହନ ଯୋଗାଇ ଦିଆଯାଉଛି । ଯାହା ଫଳରେ ଆଦିବାସୀ ଚାଷୀ ଲାଭବାନ ହେଉଛନ୍ତି ।
ତେବେ ସୁନ୍ଦରଗଡ ଆଇଟିଡି ଅଧୀନରେ ଥିବା ମୋଟ 9ଟି ବ୍ଲକରେ ଫଳ ଚାଷ କରାଯାଉଛି । 2020-21ରୁ ବର୍ତ୍ତମାନ ସୁଦ୍ଧା ଏହି ଚାଷରେ 1170ରୁ ହିତାଧିକାରୀ ଯୋଡି ହୋଇଛନ୍ତି । 1900 ରୁ ଅଧିକ ଏକର ଜମିରେ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଚାଷ କରାଯାଉଥିବା ବେଳେ 2022-23ରୁ ଲେମନ ଗ୍ରାସ ଚାଷ ଲାଗି ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସେହିପରି ଫଳଚାଷ ପାଇଁ ହିତାଧିକାରୀଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମାଗଣାରେ ଚାରା ଓ ଜୈବିକ ସାର ଦିଆଯାଉଛି । ଏଥିସହ ଚାରା ଗୁଡିକ ସୁରକ୍ଷା ପାଇଁ ତାରବାଡ ମଧ୍ୟ ଯୋଗାଇ ଦିଆଯାଉଛି । ଚାରା ଲଗାଇବା ଠାରୁ ଆରମ୍ଭ କରି 3ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣା କରାଯାଉଛି । ତେଣୁ ଏନେଇ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମଜୀବୀମାନଙ୍କୁ ମଜୁରୀ ସହାୟତ ଦିଆଯାଉଛି । ଏହା ସହ ଜଳସେଚନ ସୁବିଧା ପାଇଁ ପ୍ରତି 5 ଏକର ଜମିରେ କୂଅ ମଧ୍ୟ ଖୋଳାଯାଉଛି ।
ଫଳ ଚାରା ଫଳନ୍ତି ଅବସ୍ଥାକୁ ଆସିବା ଲାଗି 2ରୁ 3 ବର୍ଷ ସମୟ ଲାଗିଥାଏ । ଏହି ଅବଧି ଭିତରେ ଚାଷୀ ମାନଙ୍କୁ ରୋଜଗାର ଦେବା ପାଇଁ ମିଶନ ଜୀବିକା ମାଧ୍ୟମରେ ଇ କ୍ରପିଂକୁ ଗୁରୁତ୍ବ ଦିଆଯାଉଛି । ଏନେଇ ଚାଷୀ ମାନେ ଆମ୍ବ, କାଜୁ ଓ ଲେମ୍ବୁ ବଗିଚା ଭିତରେ ଆଳୁ, ତରଭୁଜ, ଟମାଟୋ, ବାଇଗଣ, ଲଙ୍କା ଆଦି ଚାଷ କରିଛନ୍ତି ଏଥିସହ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଲାଭବାନ ମଧ୍ୟ ହେଉଛନ୍ତି । ଏନେଇ ଏହି ଫଳ ଚାଷୀଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନକୁ ଦାୟିତ୍ବ ଦିଆଯାଇଛି ।