ରାଉରକେଲା: ସୁନ୍ଦରଗଡରେ ଚାକିରି ନାଁରେ ଠକେଇ ମାମଲା । ପୋଲିସ ହାତରେ ଧରାପଡିଲେ ଲୋକଙ୍କୁ ଲକ୍ଷଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୁକ୍ତ । ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ନିଯୁକ୍ତି ଦେବା ନାଁରେ ଠକେଇ ଘଟଣାରେ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ମେଡିକାଲ କର୍ମଚାରୀ କାଦୋବାହାଲର ଚୈତନ୍ଯ ତନ୍ତୀ, ମୁଖ୍ୟ ଦଲାଲ ତସଲାଡିହିର ସୁଶାନ୍ତ ମାଝୀ, ମହୁଲପାଲିର ମଦନ ଗର୍ଡିଆ, ମିଶନ ରୋଡର ଆଶିଷ ନାଏକ ଓ ସୋମନାଥ ପୃଷ୍ଟି ରହିଛନ୍ତି । ଏହାସହିତ ମଶିନ ରୋଡରେ ଥିବା ଆଶିଷର ଜେରକ୍ସ ଦୋକାନରୁ କମ୍ପ୍ୟୁଟର, ପ୍ରିଣ୍ଟର ଓ ବହୁ ଜାଲି ଦସ୍ତାବିଜ ଜବତ ହୋଇଛି । ଏହିଠାରେ ହିଁ ସବୁ ଜାଲି ଦସ୍ତାବିଜ ତିଆରି ହେଉଥିଲା । ପୋଲିସ ସମସ୍ତ ୫ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଏକ ବଡ଼ ରାକେଟ କାମ କରୁଥିଲା । ଏହି ରାକେଟ ଗ୍ରାମାଞ୍ଚଳରେ କାର୍ଯ୍ୟରତ କିଛି ଶିକ୍ଷକ ଓ ଡାକ ବିଭାଗ କର୍ମଚାରୀମାନଙ୍କ ଜରିଆରେ ବେରୋଜଗାର ଯୁବକଯୁବତୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କୁ ଚାକିରି ନାଁରେ ଚୂନ ଲଗାଉଥିଲା । କାହାକୁ ମେଡିକାଲ ସହାୟକ ପଦ, ପରିଦର୍ଶକ, ସୁରକ୍ଷାକର୍ମୀ ପଦ ତ ଆଉ କାହାକୁ ଅଭ୍ୟର୍ଥନାକାରୀ ପଦରେ ନିଯୁକ୍ତି ଦେବା ନାଁରେ ଲକ୍ଷଲକ୍ଷ ଟଙ୍କା ଠକାମି କରୁଥିଲା । ଏଥିପାଇଁ ଅଭିଯୁକ୍ତମାନେ ଓଡ଼ିଶା ସରକାରଙ୍କ ଲୋଗୋ, ମେଡିକାଲ କଲେଜର ନାଁ ଓ ଡିନ ଡ଼ଃ. ଦୈତାରୀ ରାଉତରାୟଙ୍କ ଜାଲ୍ ଦସ୍ତଖତ ଏବଂ ସିଲ୍ ମୋହର ବ୍ୟବହାର କରି ଆଶାୟୀମାନଙ୍କୁ ନିଯୁକ୍ତି ପତ୍ର ଓ ପରିଚୟ ପତ୍ର ପ୍ରଦାନ କରୁଥିଲେ ।