ରାଉରକେଲା:ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶୀ ମଦ ଏବଂ ମହୁଲି ପୋଚ ଜବତ ହୋଇଛି । ବେଆଇନ ମଦ ଜବତ କରିବା ସହ ବିପୁଳ ପରିମାଣର ମହୁଲ ପୋଚ ଏବଂ ଦେଶୀ ମହୁଲିକୁ ନଷ୍ଟ କରିଛି ଅବକାରୀ ବିଭାଗ । 12ହଜାର 850 କିଲୋ ମହୁଲ ପୋଚ ଏବଂ 320 ଲିଟର ମହୁଲି ମଦ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍ କରାଯାଇ ବହୁ ପରିମାଣର ବେଆଇନ ମଦ ନଷ୍ଟ କରାଯାଇଛି । ସଦର ରେଞ୍ଜ ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ସଦର ରେଞ୍ଜର ଦାୟିତ୍ୱରେ ଥିବା ଅଧିକାରୀ ଓ ମୋବାଇଲ ୟୁନିଟର କର୍ମଚାରୀଙ୍କ ସହ ମିଳିତ ଚଢାଉ କରିଥିଲା ଅବକାରୀ ବିଭାଗ ।
ସୂଚନା ମୁତାବକ, ନଦୀ ପଠାରେ ଚାଲିଥିଲା ମଦ ପ୍ରସ୍ତୁତି । ଦେଶୀ ମହୁଲି ମଦ ପ୍ରସ୍ତୁତ କରି ଏହାକୁ ଗ୍ରାମାଞ୍ଚଳରେ ବିପୁଳ ପରିମାଣରେ ସପ୍ଲାଏ ବି କରାଯାଉଥିଲା । ହେଲେ କୌଣସି ସୂତ୍ରରୁ ଖବର ପାଇ ଚଢାଉ କରିଛି ରାଉରକେଲା ଅବକାରୀ ବିଭାଗ । ଦେଶୀ ମହୁଲି ମଦ ଯୋଗୁଁ ବିପୁଳ ପରିମାଣରେ ଲୋକେ ଅସୁସ୍ଥ ହେଉଥିଲେ ମଧ୍ୟ ଅନେକ ସ୍ଥାନରେ ବେଧଡ଼କ ଭାବେ ଏହାର ପ୍ରସ୍ତୁତି ଚାଲିଛି । ତେବେ ଏହାକୁ ନେଇ ରାଉରକେଲା ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିଛି ।
ଏହି ଅଞ୍ଚଳରେ ବେଆଇନ ମଦ କାରବାରକୁ ରୋକିବା ପାଇଁ ଅପରେସନକୁ ଜୋରଦାର କରାଯାଇଛି । ତେବେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଭୁଚାହୁଣ୍ଡା ନାଳ ସାଇଟ୍ ଓ ରିଲାପୋଷ ଖଇରିବନ୍ଧ ଗ୍ରାମରେ ବେଆଇନ ମଦ ଉତ୍ପାଦନ ଓ ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗକୁ ବିଶ୍ୱସ୍ତ ଗୁଇନ୍ଦା ସୂଚନା ମିଳିଥିଲା । ଏନେଇ ଅଧିକାରୀମାନେ ତୁରନ୍ତ ମଦ ପ୍ରସ୍ତୁତ ହେଉଥିବା ସ୍ଥାନରେ ତୁରନ୍ତ ଚଢାଉ କରିଥିଲେ ।