ରାଉରକେଲା:ପାର୍କ ଏବଂ ଉନ୍ନତିମୂଳକ କାର୍ଯ୍ୟ କରିବ କହି ବସ୍ତି ଉଚ୍ଛେଦ କଲା ରାଉରକେଲା ଇସ୍ପାତ କାରଖାନା । ଶେଷରେ ନିଜ ଘର ମାଟିରେ ମିଶିବା ପରେ ଏବେ ଜରିପାଲ ତଳେ ବିତୁଛି ବସ୍ତି ବାସିନ୍ଦାଙ୍କ ଜୀବନ । ବସ୍ତି ଉଚ୍ଛେଦ ପରେ ଜରାଜୀର୍ଣ୍ଣ ଅବସ୍ଥାରେ ପଲିଥିନ ତଳେ ବିତୁଛି ଲୋକଙ୍କ ଜୀବନ । ଆମେ କହୁଛୁ ରାଉରକେଲା ସହରରେ ଥିବା ଗଣେଶ ବସ୍ତି ବାସିନ୍ଦାଙ୍କ କଥା । ବସ୍ତି ଉଚ୍ଛେଦ ପରେ ଥାଇଥାନ କରାଯାଇନଥିବାରୁ ଖରା ବର୍ଷା ଶୀତରେ ଏବେ ବାହାରେ ଜୀବନ ଜିଇଁବାକୁ ପଡୁଛି। ଏନେଇ ରାଷ୍ଟ୍ରୀୟ ଏସ୍ଟି କମିଶନ ପକ୍ଷରୁ ଜିଲ୍ଲା ପ୍ରଶାସନ, ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରି କରାଯାଇଛି ।
ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ସମୟ ହେବ ବହୁ କଷ୍ଟରେ ଦିନ କାଟୁଛନ୍ତି ବସ୍ତି ବାସିନ୍ଦା । ଜାନୁଆରୀ ମାସ ୯ ତାରିଖରେ ରାଉରକେଲା ସହରର ସେକ୍ଟର ଅଞ୍ଚଳରେ ଟେଲିଫୋନ ଭବନ ନିକଟ ଗଣେଶ ବସ୍ତିରେ ଇସ୍ପାତ କାରଖାନା ପକ୍ଷରୁ ସେହି ବସ୍ତିରେ ପାର୍କ ତିଆରି କରାଯିବ ବୋଲି କହି ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ସମୟରେ ସେଠାରେ ଗଣେଶ ବସ୍ତି ବାସିନ୍ଦା ପକ୍ଷରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । କିନ୍ତୁ ରାଉରକେଲା ଇସ୍ପାତ କାରଖାନା ସେଠାରେ ପାର୍କ ଏବଂ ଉନ୍ନତିମୂଳକ କାର୍ଯ୍ୟ କରିବା କହି ବସ୍ତି ବାସିନ୍ଦାଙ୍କୁ ଫୋର୍ସ ଲଗାଇ ଉଚ୍ଛେଦ କଲା । ଉଚ୍ଛେଦ ପରେ ବାଟ ନପାଇ ବସ୍ତି ବାସିନ୍ଦା ଜରି ପଲିଥିନ ଲଗାଇ ଜୀବନ ବିତାଉଛନ୍ତି ।