ରାଉରକେଲା: ହାତୀ ଆତଙ୍କରେ ଆତଙ୍କିତ ସୁନ୍ଦରଗଡ଼ ସଦର ଅଞ୍ଚଳବାସୀ । ଜଙ୍ଗଲ ଛାଡ଼ି ଜନ ବସତି ମୁହାଁ ହେଉଛନ୍ତି ହାତୀ । ବନ ବିଭାଗ ମଧ୍ୟ ଏହି ହାତୀପଲକୁ ଜଙ୍ଗଲକୁ ଘଉଡାଇବାରେ ଅସଫଳ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏକ ମାସରୁ ଅଧିକ ସମୟ ଧରି ଏକ ୪ଟିକିଆ ହାତୀପଲ ଉତ୍ପାତ କରୁଛନ୍ତି । ସୁନ୍ଦରଗଡ଼ ସଦର ବ୍ଲକର କିଞ୍ଜିମା, ମହୁଲ ଜୋର, ଘଣ୍ଟିବୁଡ଼ ଅଞ୍ଚଳରେ ହାତୀ ଉପଦ୍ରବର ବ୍ୟାପକ ଚିତ୍ର ଦେଖିବାକୁ ମିଳିଛି ।
୪ଟି ହାତୀ ଦିନ ବେଳା ନିକଟସ୍ଥ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ବେଳେ ଗାଁ ଆଡକୁ ମୁହାଁଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବନ ବିଭାଗ ମଧ୍ୟ ହାତୀ ଘଉଡ଼ାଇବାରେ ଅଧିକ ତତ୍ପର ହେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ହାତୀ ଗାଁରେ ପଶିବା ଫଳରେ ଲୋକେ ରାତ୍ରୀ ଅନିଦ୍ରା ହୋଇ ହାତୀ ଭୟରେ ଗାଁରେ ଲୋକ ଏକାଠି ହୋଇ ଜଗୁଥିବା କହିଛନ୍ତି ।
ଅଧିକ ପଢନ୍ତୁ...ବଣାଇରେ ଆତଙ୍କ ଖେଳାଇଛି ଦନ୍ତା: ଘର ଭାଙ୍ଗୁଛି, ଫସଲ ନଷ୍ଟ କରୁଛି
ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଆଜି(ବୁଧବାର) ଭୋରରୁ କିଞ୍ଜିମା ଅଞ୍ଚଳରେ ଏହି ହାତୀପଲ ଧାନ କ୍ଷେତ ନଷ୍ଟ କରିବା ସହିତ ୪ଟି ଘର ଭାଙ୍ଗି ଦେଇଛନ୍ତି । ସନ୍ଧ୍ୟା ହେଲେ ଗାଁ ମୁହାଁ ହୋଇ ତାଣ୍ଡବ ରଚୁଛନ୍ତି ଦନ୍ତା । ଏହା ପୂର୍ବରୁ ମହୁଲାଯୋର ଗାଁରେ ଦନ୍ତା ସାତଟି ଘର ଭାଙ୍ଗିଥିବା ବେଳେ, ପୁଣି ୪ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ଦେଇଛନ୍ତି । ବନ ବିଭାଗ ମଧ୍ୟ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି । ତେବେ ଦନ୍ତା ଭାଙ୍ଗିଥିବା ଘର ଓ ନଷ୍ଟ କରିଥିବା ଫସଲ ବାବଦକୁ ସରକାର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ବନ ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପ୍ରଦାନ ସହ ହାତୀ ନଘଉଡାଇଲେ ଆଗକୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।