ତିନି ରାଜ୍ୟରେ ବିପୁଳ ବହୁମତର ପ୍ରଭାବ, ରାଉରକେଲାରେ ଉତ୍ସବ ପାଳିଲେ ବିଜେପି କର୍ମୀ ରାଉରକେଲା: ଆଜି ରାଉରକେଲାରେ ନିର୍ବାଚନୀ ବିଜୟକୁ ସେଲିବ୍ରେଟ୍ କରିଛି ରାଉରକେଲା ବିଜେପି । ନାଚ ଗୀତ ବାଣ ଫୁଟାଇ କରିଛି ବିଜୟ ଉତ୍ସବ ପାଳନ। ବିଜେପିର ବହୁ ସଂଖ୍ୟାରେ କର୍ମକର୍ତ୍ତା ଏବଂ ବିଶିଷ୍ଟ ନେତା ଯୋଗ ଦେଇ ପାଳନ କରିଛନ୍ତି ବିଜୟ ଉତ୍ସବ । 3 ରାଜ୍ୟରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରିବା ପରେ ରାଉରକେଲା ବିଜେପି କ୍ୟାମ୍ପ୍ରେ ଉତ୍ସବର ମାହୋଲ ରହିଛି । 4ଟି ରାଜ୍ୟର ଜନାଦେଶ ମଧ୍ୟରୁ ରାଜସ୍ଥାନ, ଛତିଶଗଡ଼ ଆଉ ମଧ୍ୟପ୍ରଦେଶରେ ବିଜେପି ଦଳ ପୂର୍ଣ୍ଣ ବହୁମତ ସହିତ ବିଜୟୀ ହୋଇଛି । ଏହି ଅବସରରେ ରାଉରକେଲା ସହରର ମଧ୍ୟଭାଗରେ ଥିବା ବିଶ୍ରା ଛକଠାରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସ୍ଥାନୀୟ ବିଜେପି ଦଳର କର୍ମକର୍ତ୍ତା ସେମାନଙ୍କ ଦଳର ସଫଳତାରେ ଖୁସି ବ୍ୟକ୍ତ କରିଛନ୍ତି । ବିଜେପି ସମର୍ଥକମାନେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ଖୁସି ବ୍ୟକ୍ତ କରିବା ସହ ଉତ୍ସବ ପାଳିଥିଲେ । ଭାରତର ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ବିଜେପି ବିଜୟୀ ହେବା ନେଇ କର୍ମୀ ଆଶା ପୋଷଣ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ପ୍ରଦର୍ଶନ ଆଧାରରେ ଭୋଟ ଦେଇଛି ନୂଆ ଭାରତ: ଶାହ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଜଣେ ପ୍ରମୁଖ ନେତା ଏବଂ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଜୟ ଉତ୍ସବ ପାଳିଥିଲେ । ଏହି ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବକୁ ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଦଳର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଣନୈତିକ ମାର୍ଗଦର୍ଶନ ଏବଂ ଚମତ୍କାର ନେତୃତ୍ବ ସହାୟକ ହୋଇଛି ବୋଲି କହିଛନ୍ତି ଜୁଏଲ ଓରାମ । ଏଥି ସହିତ ବିଜେପି ଏକଜିଟ ପୋଲକୁ ଭୁଲ ପ୍ରମାଣିତ କରିଥିଲା । ହିନ୍ଦୀ ହାର୍ଟଲ୍ୟାଣ୍ଡରେ ନିଜ ପୂର୍ବ ଗୌରବ ଫେରି ପାଇଛି ବିଜେପି । ଏପଟେ ଦାକ୍ଷିଣାତ୍ୟ ରାଜ୍ୟ ତେଲଙ୍ଗାନାରେ ଓଲଟି ପଡ଼ିଛି କେସିଆରଙ୍କ ଆମ୍ବାସାଡର ଏବଂ ତେଲଙ୍ଗାନା ରାଜ୍ୟରେ ହାତକୁ ମିଳିଛି ବଳ । ରେଭନ୍ତ ରେଡ୍ଡୀଙ୍କ ନେତୃତ୍ବରେ ଲଢ଼ିଥିବା କଂଗ୍ରେସ ତେଲଙ୍ଗାନାରେ ପାଇଛି ବିପୁଳ ବିଜୟ । ଯାହାକୁ ନେଇ ରାଜସ୍ଥାନ ଛତିଶଗଡ଼ ପରାଜୟ ଗ୍ଲାନିରୁ କିଛିଟା ଆଶ୍ବସ୍ତି ପାଇଛି ଦଳ । ଜାତିବାଦ ରାଜନୀତି ନୁହେଁ ବରଂ ପ୍ରଦର୍ଶନ ରାଜନୀତିକୁ ଭୋଟ ଦେଇଛି ନୂଆ ଭାରତ ଏବଂ ସମସ୍ତ 4 ରାଜ୍ୟକୁ ସମର୍ଥନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, ରାଉରକେଲା