ରାଉରକେଲା: ଧରାବତରଣ କରିବାକୁ ଯାଉଛନ୍ତି ଜଗତ ଜନନୀ ମା' ଦୁର୍ଗା । ବିଘ୍ନନାଶିନୀ କରୁଣାମୟୀ ମା' ଦୁର୍ଗାଙ୍କ ଆଗମନରେ ଚଳ ଚଞ୍ଚଳ ହୋଇ ପଡିଛି ଗାଁରୁ ସହର । ଏହାରି ମଧ୍ୟରେ ଚଳଚଞ୍ଚଳ ହୋଇ ପଡ଼ିଲାଣି ଷ୍ଟିଲ ସିଟି ରାଉରକେଲା । ଷ୍ଟିଲ ସିଟିରେ ପ୍ରତ୍ୟକ ବର୍ଷ ଦୁର୍ଗା ପୂଜାକୁ ଧୁମଧାମର ସହ ପାଳନ କରାଯାଏ । ମିନି ଇଣ୍ଡିଆ ବୋଲାଉଥିବା ଏହି ରାଉରକେଲା ସହରରେ ଆକର୍ଷଣୀୟ ତୋରଣ ସାଙ୍ଗକୁ ଆକର୍ଷଣୀୟ ମା'ଙ୍କ ମୂର୍ତ୍ତି ସମସ୍ତଙ୍କୁ ବିମୋହିତ କରିଥାଏ ।
ତେବେ ସହରର ସେକ୍ଟର ୧ ଏବଂ ସେକ୍ଟର ୨ ରେ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଭଲ ଭାବରେ ଦୁର୍ଗା ପୂଜାକୁ ଆୟୋଜନ କରାଯିବକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି । ତେବେ ଦୀର୍ଘ 60 ବର୍ଷରୁ ଅଧିକ ସମୟ ଧରି ଏହି ଦୁଇ ପୂଜା କମିଟି ରାଉରକେଲା ସହରରେ ଚର୍ଚ୍ଚାରେ ରହି ଆସିଥିବା ବେଲେ ଚଳିତ ବର୍ଷ ମଧ୍ୟ ଧୁମଧାମରେ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେକ୍ଟର ୧ ଏବଂ ୨ ପୂଜା କମିଟି ସହରବାସୀଙ୍କୁ ପ୍ରତିବର୍ଷ କିଛି ନୂଆ ଅନୁଭୂତି ଦେଇ ଆସିଛନ୍ତି ।
ଚଳିତବର୍ଷ ଭକ୍ତଙ୍କୁ ଆକର୍ଷିତ କରିବା ପାଇଁ ସେକ୍ଟର ୧ ରାଜସ୍ଥାନର ଉମେଦ ଭବନକୁ ନିର୍ମାଣ କରୁଥିବା ବେଳେ ସେକ୍ଟର ୨ ରାଜସ୍ଥାନ ଜୟପୁରର ଅଲବର୍ଟ ହଲ ମ୍ୟୁଜିୟମକୁ ନିର୍ମାଣ କରୁଛି । ସେକ୍ଟର ୧ ରେ ୫୦ ଜଣ କାରିଗର ପ୍ରାୟ ମାସେ ହେଲା ଏହି ତୋରଣ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି । ନିର୍ମାଣ କାର୍ଯ୍ୟରେ 8 ହଜାର ବାଉଁଶ, 10 ହଜାର ମିଟର କପଡ଼ା ବ୍ୟବହାର କରାଯାଇଛି । ଏବଂ 250 ଫୁଟ ଚଉଡା ଏବଂ ପ୍ରାୟ 90 ରୁ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପେଣ୍ଡାଲ ନିର୍ମାଣ କରାଯାଉଛି । ଏହି ଅସଲି ସୁଦୃଶ୍ୟ ତୋରଣରେ ପ୍ରାୟ ୧୨ ଫୁଟ ଭଚ୍ଚର ମାଙ୍କ ଭବ୍ୟ ମୂର୍ତ୍ତି ଶୋଭା ପାଇବ।