ରାଉରକେଲା: ବର୍ତ୍ତମାନ ରାଜ୍ୟରେ ଗୋଟିଏ ଚର୍ଚ୍ଚା ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆସନ୍ତା ଜାନୁଆରୀ ୧୭ ତାରିଖରେ ଏହି ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରକଳ୍ପକୁ ଲୋକାର୍ପିତ କରିବେ । ଏହାପୂର୍ବରୁ ଶନିବାର ଠାରୁ ପ୍ରତି ବ୍ଲକରେ ପରିକ୍ରମା ଆରମ୍ଭ କରିଛି ଅର୍ପଣ ରଥ । ଏହି ରଥ ରାଜ୍ୟର ପ୍ରତି ପଞ୍ଚାୟତ ଓ ଗାଁ ଗାଁ ବୁଲି ଭକ୍ତଙ୍କ ଠାରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୁଆ ଓ ଅରୁଆ ଚାଉଳ ସଂଗ୍ରହ କରିବ । ପ୍ରତି ପରିବାରକୁ ଏହି ଅରୁଆ ଚାଉଳ ଓ ଗୁଆ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ଏହି କ୍ରମରେ ଆଜି ରାଉରକେଲାରେ ମଧ୍ୟ ଅର୍ପଣ ରଥ ଗଡ଼ିଛି ।
ସହରର ସେକ୍ଟର ତିନି ଜଗନ୍ନାଥ ମନ୍ଦିରରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଲାଗି ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ ଲାଗି ପରିକ୍ରମା ଆରମ୍ଭ କରିଛି ଏହି ଅର୍ପଣ ରଥ । ରାଉରକେଲା ସହରାଞ୍ଚଳରେ ଏହି ରଥର ପରିକ୍ରମା ସୁରୁଖୁରୁରେ କରାଯିବା ଲାଗି ବ୍ୟବସ୍ଥା ହୋଇଛି । ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ସଙ୍କୀର୍ତ୍ତନ ମାଧ୍ୟମରେ ଏହି ରଥ ରାଉରକେଲା ସହରର ସମସ୍ତ ୪୦ଟି ୱାର୍ଡ ବୁଲିବ । ରାଉରକେଲା ସହର ସମେତ ସମ୍ପୂର୍ଣ୍ଣ ଜିଲ୍ଲାରେ ମଧ୍ୟ ଏହି ରଥ ବୁଲିବ ଏବଂ ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରିବ । ଗାଁ ଗାଁରେ ଏଥିପାଇଁ କିପରି ଭକ୍ତିମୟ ପରିବେଶ ସୃଷ୍ଟି ହେବ, ସେନେଇ ବ୍ୟବସ୍ଥା ହୋଇଛି ।