ରାଉରକେଲା:ଦେବଗଡ଼ରୁ ଅପହୃତ ହୋଇଥିବା ୫ ବର୍ଷର କୁନି ଝିଅ ସୁନ୍ଦରଗଡ଼ରୁ ଉଦ୍ଧାର ହୋଇଛି । ଆଜି(ମଙ୍ଗଳବାର) ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଭୋଇପାଲି ପୋଲ ତଳୁ କୁନି ଝିଅଟି ଉଦ୍ଧାର ହୋଇଛି । ଝିଅଟି ପୋଲ ତଳେ କାନ୍ଦୁଥିବା ବେଳେ ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ଏହାପରେ ବଡ଼ଗାଁ ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦେବଗଡ଼ ପୋଲିସ ସହିତ ଯୋଗାଯୋଗ କରି ଶିଶୁକନ୍ୟାର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପୋଲିସ ଝିଅକୁ ଉଦ୍ଧାର କରିବା ପରେ ତାଙ୍କୁ ନେବା ପାଇଁ ଦେବଗଡ଼ରୁ ନୂଆଗାଁ ଅଭିମୁଖେ ଆସୁଛନ୍ତି ପରିବାର ଲୋକେ । ସେପଟେ ନାବାଳିକାଙ୍କୁ ଅପହରଣ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି ।
ସୂଚନା ଅନୁଯାୟୀ, ଉଦ୍ଧାର ଶିଶୁକନ୍ୟା ଦେବଗଡ଼ ସହରର ଜଣେ ପ୍ରତିଷ୍ଠିତ କପଡ଼ା ଦୋକାନର ମାଲିକ ଅଲୋକ ଅଗ୍ରୱାଲଙ୍କ ଝିଅ । ଗତକାଲି ସନ୍ଧ୍ୟାରେ ୫ ବର୍ଷର ଝିଅଟି ଟ୍ୟୁସନରୁ ନିଜ ଆଈ ସହ ଘରକୁ ଫେରୁଥିବା ବେଳେ ଅପହୃତ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ କଳା ରଙ୍ଗର ପଲସର ବାଇକରେ ଆସି କୁନି ଝିଅଟିକୁ ଉଠାଇ ନେଇଥିଲେ । ଏନେଇ ଆଈ ଚିତ୍କାର କରିବାରୁ ଆଖପାଖର ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ଦୁର୍ବୃତ୍ତମାନେ ଝିଅକୁ ଧରି ଫେରାର୍ ହୋଇଯାଇଥିଲେ । ଏହି ଘଟଣା କାଲି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।
ଏହା ମଧ୍ୟ ପଢନ୍ତୁ: ବ୍ୟବସାୟୀଙ୍କ ୫ବର୍ଷର ଶିଶୁକନ୍ୟାକୁ ଅପହରଣ, କଳା ପଲସରରେ ଆସି ଝାମ୍ପିନେଲେ