ସୁନ୍ଦରଗଡ:ସଦର ଥାନା ଜୁନାଡ଼ିହିରେ ପୁଅର ପରକୀୟା ପ୍ରୀତି ସନ୍ଦେହରୁ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳରେ ମା’ର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ମୃତ ମହିଳାଙ୍କ ନାଁ ବାଚି ଓରାମ ବୋଲି ଜଣାପଡଛି । ପରକୀୟା ପ୍ରୀତିକୁ ସନ୍ଦେହ କରି ଗତକାଲି ରାତି ପ୍ରାୟ 9ଟାବେଳେ ସ୍ଥାନୀୟ ଜଣେ ଯୁବକ ଏହି ହତ୍ୟାକାଣ୍ଡ ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, କାର୍ତ୍ତିକ ଟିଗା ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଦମ୍ପତିଙ୍କ ପୁଅ ବଳ ଓରାମ ସହ ନିଜ ସ୍ତ୍ରୀର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଦମ୍ପତିଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବାଚି ଓରାମଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ବାମୀ ମାଧ ଓରାମକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। କେବଳ ସେତିକି ନୁହେଁ, ମୃତ ମହିଳାଙ୍କ ନାତି ସାମ୍ନାରେ ଏହି ହତ୍ୟାକାଣ୍ଡକୁ ରୂପ ଦେବା ସହ ବୁଲି ବୁଲି ଚିତ୍କାର କରିଥିଲା ଅଭିଯୁକ୍ତ । ତେବେ ଏପରି ହତ୍ୟାକାଣ୍ଡ ପରେ ଆକ୍ରମଣର ଶିକାର ହୋଇଥିବା ଦମ୍ପତିଙ୍କ ପୁଅ ହତ୍ୟାକାରୀର ସ୍ତ୍ରୀ ସହ ସମ୍ପର୍କକୁ ଖଣ୍ଡନ କରିଛନ୍ତି । ସେହିପରି ଉକ୍ତ ଦମ୍ପତିଙ୍କ ପୂର୍ବରୁ ମଧ୍ୟ କାହା ସହ ଶତ୍ରୁତା ନଥିବା ତାଙ୍କ ବଡ ବୋହୂ କହିଛନ୍ତି ।