ଓଡିଶା

odisha

ETV Bharat / state

ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ବସ୍ତିରେ ଜଳ ସଙ୍କଟ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ - ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ବସ୍ତି ବାସିନ୍ଦା

ପାଣି ସମସ୍ୟା ନେଇ ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକଙ୍କୁ କଂଗ୍ରେସର ଟାର୍ଗେଟ। ଗ୍ରୀଷ୍ମ ପୂର୍ବରୁ ବିଭିନ୍ନ ବସ୍ତିରେ ଦେଖାଦେଉଛି ଜଳ କଷ୍ଟ। ଶୀଘ୍ର ସମାଧାନ ନକଲେ ବିରାଟ ଆନ୍ଦୋଳନ କରିବ ବୋଲି କହିଛି ରଘୁନାଥପାଲ୍ଲୀ କଂଗ୍ରେସ। ଅଧିକ ପଢନ୍ତୁ,

Congress hold press meet over Water Problem
Congress hold press meet over Water Problem

By

Published : Feb 19, 2023, 10:14 AM IST

Updated : Feb 19, 2023, 10:59 AM IST

ରାଉରକେଲା:ଇସ୍ପାତ ନଗରୀ ରାଉରକେଲାର ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଫେଲ୍ ମାରିଛି ସରକାରୀ ଯୋଜନା । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ରଘୁନାଥପଲ୍ଲୀ ଅଞ୍ଚଳର ବିଭିନ୍ନ ବସ୍ତିରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି । ପାଣି ମୁନ୍ଦେ ପାଇଁ ହନ୍ତସନ୍ତ ହେଉଛନ୍ତି ହଜାର ହଜାର ବସ୍ତି ବାସିନ୍ଦା । ବର୍ତ୍ତମାନ ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚି ପାରୁନି ପାନୀୟ ଜଳ । ଏହି ପାଣି ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲା ପ୍ରଶାସନ, ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଧାୟକଙ୍କୁ ଟାର୍ଗେଟ କରିଛି କଂଗ୍ରେସ ।

ଲୋକଙ୍କୁ ପାଣି ଯୋଗାଇବାରେ ବିଧାୟକ ସୁବ୍ରତ ତରାଇ, ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀ ଅସମର୍ଥ ବୋଲି କଂଗ୍ରେସ ଅଭିଯୋଗ କରିଛି । ଯଥାଶୀଘ୍ର ସମସ୍ତ ବସ୍ତିରେ ଜଳ ସମସ୍ୟାର ସମାଧାନ ପାଇଁ ସାମ୍ବାଦିକ ସମ୍ମିଳନୀରେ ଦଳ ପକ୍ଷରୁ ଦାବି କରାଯାଇଛି । ୧୭୦ଟି ବସ୍ତିରେ କଂଗ୍ରେସ ଯାଇ ସ୍ଥିତି ପରଖି ଥିଲା ଏବଂ ଏଠାରେ ପ୍ରାୟ ୭୦ ପ୍ରତିଶତ ବସ୍ତିରେ ଆଜିବି ଲୋକେ ପାନୀୟ ଜଳ ପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି ।

ଚଳିତ ବର୍ଷ ଫେବୃଆରୀ ମାସ ଆରମ୍ଭରୁ ସହରରେ ଯେଭଳି ତାତି ଅନୁଭୂତ ହେଲାଣି ଆଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଶୀତ ଋତୁରେ ମଧ୍ୟ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ବହୁ ବସ୍ତି ବାସିନ୍ଦା । ବିଭିନ୍ନ ବସ୍ତିରେ ବସୁଧା ଯୋଜନାରେ ଓଭରହେଡ ଟାଙ୍କି ଲାଗିଛି କିନ୍ତୁ ଲୋକଙ୍କ ପାଖରେ ପାଣି ପହଞ୍ଚିବ ସ୍ୱପ୍ନ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ତେଣୁ ଆଗାମୀ ଦିନରେ ଉତ୍କଟ ଜଳ ସଙ୍କଟ ଦେଖାଯିବାର ସମ୍ଭାବନା ରହିଥିବା ଦଳ କହିଛି ।

ଏଥିସହ ସେକ୍ଟର ଅଞ୍ଚଳରେ ଥିବା ବହୁ ବସ୍ତିରେ ପାଇପ ବିଛା ଯାଇଥିଲେ ମଧ୍ୟ ଲୋକଙ୍କ ପାଖକୁ ପାଣି ଯୋଗାଣ ହୋଇ ପାରୁନାହିଁ । ଆଜି ମଧ୍ୟ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । କେତେକ ବସ୍ତିରେ ବର୍ତ୍ତମାନ ଯାଏ ପାଇପ ମଧ୍ୟ ବିଛା ଯାଇନାହିଁ । ଗ୍ରୀଷ୍ମ ଋତୁ ପୂର୍ବରୁ ସମସ୍ତ ବସ୍ତି ଅଞ୍ଚଳକୁ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବାକୁ କଂଗ୍ରେସ ନେତା ପ୍ରଶାନ୍ତ ସେଠି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ବସ୍ତି ଅଞ୍ଚଳରେ ଶୀଘ୍ର ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଉ । ଯଦି ଜିଲ୍ଲା ପ୍ରଶାସନ, ରାଉରକେଲା ଇସ୍ପାତ କାରଖାନା ଏବଂ ବିଧାୟକ ଏହି ସମସ୍ୟା ନଶୁଣନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।


ଇଟିଭି ଭାରତ, ରାଉରକେଲା

Last Updated : Feb 19, 2023, 10:59 AM IST

ABOUT THE AUTHOR

...view details