ସୁନ୍ଦରଗଡ: ଜିଲ୍ଲାର ବଣାଇଁ ବ୍ଲକ୍ ତଳିତା ଗ୍ରାମର ରଙ୍ଗୀନ ଫୁଲ କୋବି ଚାଷୀ ଉତ୍ତମ ସାହୁଙ୍କ ନାମ ହାଇବ୍ରିଡ ଭେଜିଟେବଲ ସ୍କିମକୁ ଉନ୍ନିତ । ହାଇବ୍ରିଡ ଭେଜିଟେବଲ ଚାଷ ପାଇଁ ତାଙ୍କୁ ଉଦ୍ୟାନ ବିଭାଗ ଯୋଗାଇବ ସମସ୍ତ ସୁବିଧା । ବଣାଇଁ ତଳିତା ଗ୍ରାମର ଉତ୍ତମ ୟୁ-ଟ୍ୟୁବ ଦେଖି ଆରମ୍ଭ କରିଥିଲେ ପ୍ରଥମେ ବ୍ରୋକଲି ଚାଷ । ୟୁ-ଟ୍ୟୁବ ଘାଣ୍ଟୁ ଘାଣ୍ଟୁ ତାଙ୍କୁ ରଙ୍ଗୀନ ଫୁଲକୋବିର ଚିତ୍ର ମିଳିଥିଲା । ତା’ପରେ ସେ ରଙ୍ଗୀନ ଫୁଲ କୋବିର ମଞ୍ଜି ଖୋଜି ସଂଗ୍ରହ କରିଥିଲେ କଟକ ଜିଲ୍ଲାରୁ । ମଞ୍ଜି ପାଇବା ପରେ ସେ ଆରମ୍ଭ କରିଥିଲେ ଏହି ଚାଷ ।
ବଣାଇଁ ଅଞ୍ଚଳର ଏହା ପ୍ରଥମ ହୋଇଥିବା ବେଳେ ସାରା ଅଞ୍ଚଳ ପାଇଁ ସେ ଉଦାହରଣ ପାଲଟିଛନ୍ତି । ଅନ୍ୟ ଚାଷୀ ଆକୃଷ୍ଟ ହୋଇ ତାଙ୍କ ନିକଟରେ ପହଞ୍ଚୁଥିଲା ବେଳେ ଅତୀତରେ କୃଷି ବିଭାଗର ଅଧିକାରୀ ଆଉ ଆଜି ଉଦ୍ୟାନ ବିଭାଗର ଅଧିକାରୀ ମାନେ ତାଙ୍କ କଲରଫୁଲ କୋବି କ୍ଷେତରେ ପହଞ୍ଚିଛନ୍ତି ।
ତେବେ ଏହି କୋବି ପାଇଁ କୌଣସି ସ୍ୱତନ୍ତ୍ର ପ୍ରଶିକ୍ଷଣ ସେ ନେଇ ନାହାଁନ୍ତି କିମ୍ବା କୋବି ଚାଷରେ କୌଣସି ରାସାୟନିକ ସାର ବ୍ୟବହାର କରି ନଥିବା କଥା ସେ କହିଛନ୍ତି । ସାଧାରଣ ଫୁଲ କୋବି ଭଳି ଏହାର ସ୍ୱାଦ ହୋଇଥିଲେ ମଧ୍ୟ ଏହି କୋବି ସାଧାରଣ କୋବିର ବଜାର ମୂଲ୍ୟ ଠାରୁ 300 ପ୍ରତିଶତ ଅଧିକ ଟଙ୍କା ରୋଜଗାର କରୁଥିବା କଥା ସେ କହିଛନ୍ତି । କେବଳ ସେତିକି ନୁହେଁ ଏହି କୋବି ଦୀର୍ଘ ଦିନ ଧରି ସତେଜ ରହୁଥିବା କଥା ସେ କହିଛନ୍ତି ।