ଓଡିଶା

odisha

ଇଏସଆଇସି ମଡେଲ ହସ୍ପିଟାଲ ସମ୍ମୁଖରେ ସିଆଇଟିୟୁର ବିକ୍ଷୋଭ ପ୍ରଦର୍ଶନ

By

Published : May 19, 2023, 3:14 PM IST

ଇଏସଆଇସି ହସ୍ପିଟାଲରୁ ଶ୍ରମିକଙ୍କୁ ଅନ୍ୟତ୍ର ସେକେଣ୍ଡାରୀ ହସ୍ପିଟାଲକୁ ରେଫର ବନ୍ଦ କରିବା ନିର୍ଦ୍ଦେଶକୁ ବିରୋଧ। ଅଧିକ ପଢନ୍ତୁ

citu protest in front of esic model Hhospital
citu protest in front of esic model Hhospital

ସିଆଇଟିୟୁର ବିକ୍ଷୋଭ ପ୍ରଦର୍ଶନ

ରାଉରକେଲା:ଇଏସଆଇସି ମଡେଲ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶ୍ରମିକ ଏବଂ ସିଆଇଟିୟୁର ସଦସ୍ୟ । ଇଏସଆଇସି ହସ୍ପିଟାଲରୁ ଶ୍ରମିକଙ୍କୁ ଅନ୍ୟତ୍ର ସେକେଣ୍ଡାରୀ ହସ୍ପିଟାଲକୁ ରେଫର ବନ୍ଦ କରିବା ନିର୍ଦ୍ଦେଶକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଏପ୍ରିଲ ୨୮ ତାରିଖରେ ଇଏସଆଇ କର୍ପୋରେସନର ଉପ ଚିକିତ୍ସକ ଆୟୁକ୍ତ ଡ.ରେଶମା ଶର୍ମା ଏକ ସର୍କୁଲାର ଜାରି କରିଥିଲେ । ଯେଉଁଥିରେ ପ୍ରାୟ ୨୪ ଲକ୍ଷରୁ ଊର୍ଦ୍ଧ୍ବ ଇଏସଆଇ ବୀମାଧାରୀ ଶ୍ରମିକ, କର୍ମଚାରୀ ଓ ସେମାନଙ୍କ ପରିବାରକୁ ଇଏସଆଇ ପକ୍ଷରୁ ଯୋଗାଇ ଦିଆଯାଉଥିବା ସେକେଣ୍ଡାରୀ ଓ ସୁପର ସ୍ପେସାଲିଟି ଚିକିତ୍ସା ସୁବିଧା ଆଗକୁ ଯୋଗାଇ ଦିଆଯିବ ନାହିଁ ବୋଲି ବୋର୍ଡର ନିଷ୍ପତ୍ତି ହୋଇଥିବା ପତ୍ର ଜରିଆରେ ଜଣାଇଥିଲେ ରେଶମା ଶର୍ମା । ଇଏସଆଇ କର୍ପୋରେସନ ଏଥିପାଇଁ ବିପୁଳ ଖର୍ଚ୍ଚାନ୍ତ ହେଉଥିବାରୁ ସେ ଏହି ସୁବିଧା ପ୍ରତ୍ୟାହାର କରିଥିବା ଏହି ପତ୍ରରେ ଉଲ୍ଲେଖ କରାଯାଇଥିଲା ।

ଏହି ନୂତନ ବ୍ୟବସ୍ଥା ଅନୁଯାୟୀ କେବଳ ଏମ୍ସ କିମ୍ବା ପିଜିଏ ହସ୍ପିଟାଲକୁ ରେଫର କରିବାକୁ ସର୍କୁଲାରରେ ନିର୍ଦ୍ଦେଶ ଦିଆଯାଇଛି । ଇଏସଆଇସିର ଏହି ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଗୁରୁବାର ସିଆଇଟିୟୁ ଦଳ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କମିଟି ଆହ୍ୱାନରେ ସ୍ଥାନୀୟ ଇ ଏସ ଆଇ ମଡେଲ ହସ୍ପିଟାଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ହସ୍ପିଟାଲ ସୁପରିଟେଣ୍ଡଣ୍ଟଙ୍କ ଜରିଆରେ ଏକ ଦାବି ପତ୍ର କେନ୍ଦ୍ର ଶ୍ରମ ଓ ଇଏସଆଇସି ବିଭାଗର ମନ୍ତ୍ରୀ ଓ ବୋର୍ଡକୁ ପ୍ରଦାନ କରାଯାଇଛି। ତୁରନ୍ତ ଏହି ଶ୍ରମିକ ବିରୋଧୀ ସର୍କୁଲାରକୁ ପ୍ରତ୍ୟାହାର କରିବାକୁ ଦାବି ମଧ୍ୟ କରାଯାଇଛି । ଓଡ଼ିଶାରେ ଇଏସଆଇ ବୀମାଧାରୀ ପ୍ରାୟ ୮ ଲକ୍ଷରୁ ଊର୍ଦ୍ଧ୍ବ ଥିଲା ବେଳେ ଏଠାରେ ଏପର୍ଯ୍ୟନ୍ତ ଏକ ସୁପର ସ୍ପେସାଲିଟି ହସ୍ପିଟାଲ ନାହିଁ। କେବଳ ରାଉରକେଲାରେ ୧୦୦ ଶଯ୍ୟା ବିଶିଷ୍ଟ ଏକ ମଡେଲ ହସ୍ପିଟାଲ ରହିଛି । ଯାହା ଉପରେ ପଶ୍ଚିମ ଓଡ଼ିଶାର ପ୍ରାୟ ଲକ୍ଷାଧିକ ବୀମାଧାରୀ ଓ ତାଙ୍କ ପରିବାର ସଦସ୍ୟ ନିର୍ଭର କରିଥାଆନ୍ତି । ଅନ୍ୟାନ୍ୟ କେତେକ ସ୍ଥାନରେ ଡିସପେନସାରୀ ରହିଛି ।

ଇଏସଆଇସି ଗତ ବର୍ଷ ମାର୍ଚ୍ଚ ୧୬ ତାରିଖରେ ରାଉରକେଲାରେ ୨ଶହ ଶଯ୍ୟା ବିଶିଷ୍ଟ ସୁପର ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇପାରି ନାହିଁ । ଏହା ଉପରେ ରେଫର ବନ୍ଦ କରିବା ଶ୍ରମିକ ମାନଙ୍କ ପାଇଁ ଏକ ବଡ ଝଟକା ପାଲଟିଛି । କେନ୍ଦ୍ର ସରକାରଙ୍କ ଶ୍ରମିକମାନଙ୍କ ପ୍ରତି ଥିବା ବୈମାତୃକ ମନୋଭାବ ଯୋଗୁଁ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଓ ଇଏସଆଇସି ଏପରି ଶ୍ରମିକ ବିରୋଧୀ ସର୍କୁଲାର ଜାରି କରିଛି ବୋଲି ଅଭିଯୋଗ କରିଛି ସିଆଇଟିୟୁ । ବୀମାଧାରୀ ଶ୍ରମିକଙ୍କ ଝାଳ ବୁହା ଟଙ୍କାରେ ଇଏସଆଇସି ଗଠିତ ହୋଇଥିବା ବେଳେ ସେହି ଶ୍ରମିକ ଓ ତାର ପରିବାର ସଦସ୍ୟଙ୍କୁ ସେକେଣ୍ଡାରୀ ଏବଂ ସୁପର ସ୍ପେସାଲିଟି ଚିକିତ୍ସା ଯୋଗାଇ ଦେବାକୁ ଇଏସଆଇସି ଖର୍ଚ୍ଚାନ୍ତ ହେଉଥିବା କଥା କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ସିଆଇଟିୟୁ ।

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details