ରାଉରକେଲା:ଖ୍ରୀଷ୍ଟମାସ ପାଇଁ ଚଳଚଞ୍ଚଳ ରାଉରକେଲା ସହର । ସମସ୍ତ ଚର୍ଚ୍ଚରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ଧରାପୃଷ୍ଠରେ ଅବତରଣ କରିବେ ପ୍ରଭୁ ଯୀଶୁଖ୍ରୀଷ୍ଟ । ଏହି ଦିନରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ସାମୂହିକ ପ୍ରାର୍ଥନା କରିଥାଆନ୍ତି । ବଡ଼ଦିନ ପାଳନ ପାଇଁ ଚର୍ଚ୍ଚରେ ଚାଲିଥିବା ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ହମିରପୁର ଚର୍ଚ୍ଚରେ ପ୍ରାୟ ୮ରୁ ୧୦ ହଜାର ଲୋକେ ଭିଡ଼ ଜମିଥାଏ ।
ସୁନ୍ଦରଗଡ଼ର ବିଭିନ୍ନ ଅଞ୍ଚଳରେ ସାମୂହିକ ପ୍ରାର୍ଥନା, ରଙ୍ଗବେରଙ୍ଗର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ । ଜିଲ୍ଲାର ସେକ୍ଟର- ୧୯ ହମିରପୁର, ରାଜଗାଙ୍ଗପୁର, ବୀରମିତ୍ରପୁର, ବନ୍ଧମୁଣ୍ଡା, କଳୁଙ୍ଗା, ଝିରପାଣି ସମେତ ୪୩ରୁ ଅଧିକ ପ୍ରମୁଖ ଚର୍ଚ୍ଚକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି । ତେବେ ଯୀଶୁଙ୍କ ନିକଟରେ ନିଜ ଭୁଲର କ୍ଷମା ପ୍ରାର୍ଥନା କଲେ ପ୍ରଭୁ କ୍ଷମା କରି ଦିଅନ୍ତି ବୋଲି ଭକ୍ତଙ୍କ ବିଶ୍ଵାସ ରହିଛି ।
ତେବେ ମହା ଆଡ଼ମ୍ବରରେ ରାଉରକେଲା ସହରର ଲୋକେ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ସଜବାଜ ହେଉଛନ୍ତି । ଘରେ ଘରେ ପିଠା ପଣା କରି ଧୁମଧାମରେ ବଡ଼ଦିନ ପାଳନ କରିବେ ଲୋକେ । ମାତ୍ର ଆଉ କିଛି ଘଣ୍ଟା ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧରାପୃଷ୍ଠରେ ଅବତରଣ କରିବେ । ଏହି ଦିନକୁ କେବଳ ଖ୍ରୀଷ୍ଟଧର୍ମୀ ନୁହେଁ ବର୍ତ୍ତମାନ ସମସ୍ତ ଧର୍ମର ଲୋକେ ବେଶ ଧୁମଧାମରେ ପାଳନ କରୁଛନ୍ତି । କାରଣ ବିଶ୍ୱାସ ରହିଛି ଯେ, ପ୍ରଭୁ ଯୀଶୁ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ।