ଓଡିଶା

odisha

ETV Bharat / state

ସୁନ୍ଦରଗଡ ପ୍ରଶାସନର ନୂଆ କାର୍ଯ୍ୟକ୍ରମ ଶିଶୁ ଅନୁକୂଳ ସୁନ୍ଦରଗଡ଼ - ଶିଶୁ ଅନୁକୂଳ ସୁନ୍ଦରଗଡ଼ କାର୍ଯ୍ୟକ୍ରମ

ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ‘ଚାଇଲ୍ଡ ଫ୍ରେଣ୍ଡଲି ବା ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମ । ଏ ନେଇ ମଡେଲ ସୃଷ୍ଟି କରିବା ନେଇ ଆଜି(ସୋମବାର) ପ୍ରସାଶନିକ ସ୍ତରରେ ଏକ କର୍ମଶାଳା ବିକାଶ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

ସୁନ୍ଦରଗଡ ପ୍ରଶାସନର ନୂଆ କାର୍ଯ୍ୟକ୍ରମ ଶିଶୁ ଅନୁକୂଳ ସୁନ୍ଦରଗଡ଼
ସୁନ୍ଦରଗଡ ପ୍ରଶାସନର ନୂଆ କାର୍ଯ୍ୟକ୍ରମ ଶିଶୁ ଅନୁକୂଳ ସୁନ୍ଦରଗଡ଼

By

Published : Dec 21, 2021, 7:06 AM IST

ସୁନ୍ଦରଗଡ: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ। ଏହି ଆଭିମୁଖ୍ୟକୁ ସାକାର କରିବା ପାଇଁ ସୁନ୍ଦରଗଡ଼ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ‘ଚାଇଲ୍ଡ ଫ୍ରେଣ୍ଡଲି ବା ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମ । ଏ ନେଇ ମଡେଲ ସୃଷ୍ଟି କରିବା ନେଇ ଆଜି(ସୋମବାର) ପ୍ରସାଶନିକ ସ୍ତରରେ ଏକ କର୍ମଶାଳା ବିକାଶ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ସୁନ୍ଦରଗଡ ପ୍ରଶାସନର ନୂଆ କାର୍ଯ୍ୟକ୍ରମ ଶିଶୁ ଅନୁକୂଳ ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତା କ୍ରମେ ଏହି ଅଭିନବ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମପଞ୍ଚାୟତକୁ ଶିଶୁ ଅନୁକୂଳ କରିବା ଲାଗି ପଦକ୍ଷେପ ନିଆଯାଉଛି। ଏନେଇ 12 ମାସର ଏକ ଧାର୍ଯ୍ୟ ସମୟ ନିଆଯାଇଛି । ସେହି ସମୟ ମଧ୍ୟରେ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା ନେଇ ଜିଲ୍ଲାପାଳ ସମସ୍ତ ପଦାଧିକାରୀଙ୍କୁ ସତର୍କ କରାଇଛନ୍ତି । ଜିଲ୍ଲା ପ୍ରଶାସନର ଏଭଳି କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଥମ ହୋଇଥିବାବେଳେ ଆମ ରାଜ୍ୟରେ ମଧ୍ୟ ପ୍ରଥମ। ଏହି ନୂତନ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଜିଲ୍ଲାର ୮ଟି ବ୍ଲକ୍‌ରେ ସ୍ୱେଚ୍ଛାସେବୀ ସଙ୍ଗଠନ ୟୁଥ୍ ଫର ସୋସିଆଲ ଡେଭଲପ୍‌ମେଣ୍ଟ ଏବଂ ୯ଟି ବ୍ଲକ୍‌ରେ ଦିଶାକୁ ଦାୟିତ୍ୱ ଦିଆଯାଇଛି।

ଜିଲ୍ଲାର ସମସ୍ତ ୧୭ଟି ବ୍ଲକ ପାଇଁ ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ନିଯୁକ୍ତ ବ୍ଲକ ସଂଯୋଜକ ଓ ପ୍ରକଳ୍ପ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଜିଲ୍ଲାକୁ ଶିଶୁ ଅନୁକୂଳ କରିବା ଲାଗି ଗ୍ରାମପଞ୍ଚାୟତ ସ୍ତରରୁ ପଦକ୍ଷେପ ନିଆଯାଉଛି। ଶିଶୁମାନଙ୍କର ବିକାଶ ପାଇଁ ଯେଉଁ ସବୁ ସୂଚକ ବା ମାପଦଣ୍ଡ ରହିଛି । ବ୍ଲକ ସଂଯୋଜକମାନେ ସେହିସବୁ ଆଧାରରେ ତୃଣମୂଳ ସ୍ତରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିବେ। ସେହି ରିପୋର୍ଟ ଅନୁଯାୟୀ ବିଭିନ୍ନ ବିଭାଗ ସେମାନଙ୍କର ଶିଶୁ ମଙ୍ଗଳ କାର୍ଯ୍ୟକ୍ରମ ଲାଗି ରୂପରେଖ ପ୍ରସ୍ତୁତ କରିବେ। ଏହି ସଂଯୋଜକମାନେ ଅଙ୍ଗନବାଡ଼ି କର୍ମୀ, ଏଏନ୍‌ଏମ୍‌, ଆଶାକର୍ମୀ, ପଞ୍ଚାୟତ ପ୍ରତିନିଧି, ଶିକ୍ଷକ ଓ ଡାକ୍ତରଙ୍କ ଭଳି ସ୍ଥାନୀୟ ଅଂଶୀଦାରମାନଙ୍କୁ ଶିଶୁଙ୍କ ସାମୂହିକ ବିକାଶ ପ୍ରକ୍ରିୟାରେ ଭାଗୀଦାର କରାଇବେ ।

ସେହିପରି ଗ୍ରାମପଞ୍ଚାୟତ ସ୍ତରରେ ଅଭିଭାବକ, ବିଦ୍ୟାଳୟ ପରିଚାଳନା ସମିତି, ମାତୃ କମିଟି, ପଞ୍ଚାୟତ ପ୍ରତିନିଧି ଓ ବିଭିନ୍ନ ସେବା ପ୍ରଦାନକାରୀଙ୍କୁ ନେଇ ‘ଶିଶୁ ଅଧିକାର କମିଟି’ ଗଠନ କରାଯିବ। ଏହି କମିଟିର ବୈଠକରେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ପାନୀୟ ଜଳ, ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପୋଷଣ ଓ ସୁରକ୍ଷା ଆଦି ବିଷୟକୁ ନେଇ ଯେଉଁ ସବୁ ସମସ୍ୟା ରହିଛି । ତା’ର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଏହି ବୈଠକରେ ଶିଶୁମାନେ ନିଜେ କିପରି ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିପାରିବେ । ସେନେଇ ପିଲାଙ୍କୁ ତାଲିମ ଦିଆଯିବ ।

‘ଶିଶୁ ଅନୁକୂଳ ସୁନ୍ଦରଗଡ଼’ କାର୍ଯ୍ୟକ୍ରମର ପ୍ରମୁଖ ଆଭିମୁଖ୍ୟ ଗୁଡିକ ମଧ୍ୟରେ ରହିଛି ଅନ୍ତର୍ଜାତୀୟ ମାପଦଣ୍ଡ ଅନୁଯାୟୀ ଶିଶୁମାନଙ୍କର ବିଭିନ୍ନ ଅଧିକାରକୁ ସୁରକ୍ଷିତ କରିବା, ବାଲ୍ୟ ବିବାହ ପ୍ରଥା ସମ୍ପୂର୍ଣ୍ଣ ବନ୍ଦ କରିବା, ଶିଶୁ ଶ୍ରମିକ ଉଚ୍ଛେଦ, ଶିଶୁ ଚାଲାଣର ନିରୋଧ ଏବଂ ପିଲାଙ୍କ ପ୍ରତି କୌଣସି ପ୍ରକାର ହିଂସା ଓ ନିର୍ଯାତନା ରୋକିବା , ଶିଶୁମାନଙ୍କର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା । ସମାଜର ପ୍ରତ୍ୟେକ ଶିଶୁ କିପରି ଶାରୀରିକ, ମାନସିକ ଓ ସାମାଜିକ ଭାବେ ପୂର୍ଣ୍ଣ ବିକଶିତ ହେବାର ସୁଯୋଗ ପାଇପାରିବ । ସେଥିପାଇଁ ଉଚିତ ପରିବେଶ ସୃଷ୍ଟି କରିବା ଏହାର ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତସ୍ତରୀୟ ବିକାଶ ଯୋଜନା (ଜିପିଡିପି) ପ୍ରସ୍ତୁତି ବେଳେ ପିଲାଙ୍କ ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ। ପିଲାଙ୍କ ବିକାଶ ଲାଗି ଗ୍ରାମସଭାରେ ବିଭିନ୍ନ ପ୍ରସ୍ତାବ ପାରିତ କରାଯାଇ ସେଥିପାଇଁ ବଜେଟ୍ ବ୍ୟବସ୍ଥା କରାଯିବ। ଶିଶୁ ଅନୁକୂଳ ସୁନ୍ଦରଗଡ଼ କାର୍ଯ୍ୟକ୍ରମର ସଠିକ୍ ପରିଚାଳନା ଓ ତଦାରଖ ପାଇଁ ୩ଟି ସ୍ତରରେ ଅଲଗା ଅଲଗା କମିଟି କାମ କରିବ। ପଞ୍ଚାୟତ ସ୍ତରରେ ସରପଞ୍ଚମାନଙ୍କ ନେତୃତ୍ୱରେ କମିଟି ରହିବ। ସେହିପରି ବ୍ଲକସ୍ତରରେ ବ୍ଲକ୍ ଅଧ୍ୟକ୍ଷ ଓ ବିଡିଓଙ୍କ ନେତୃତ୍ୱରେ ଗଠିତ କମିଟି ସବୁ ପଞ୍ଚାୟତରେ ଶିଶୁମାନଙ୍କ ବିକାଶ ପ୍ରକ୍ରିୟା ତଦାରଖ କରିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସମଗ୍ର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ନେବ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details