ରାଉରକେଲା: ପଦ୍ମପୁର ଉପନିର୍ବଚନ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା । କେନ୍ଦ୍ର କୃଷିମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ବୟାନରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ । କହିଲେ ବିଜେଡି କେବଳ ହାଇଲାଇଟ ହେବା ପାଇଁ ଏଭଳି କହୁଛି । ପଦ୍ମପୁରରେ ବିଜେପି ଜିତିବା ନେଇ ସମ୍ପୂର୍ଣ୍ଣ ବିଶ୍ବାସ ଥିବା କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।
ଗତକାଲି ନିର୍ବାଚନ ପ୍ରଚାର ସମୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଚାଷୀ ଫସଲ ବୀମା ନପାଇବା ନେଇ ରାଜ୍ୟ ସରକାରଙ୍କୁ ଦାୟୀ କରିଥିଲେ । ତେବେ ଏହି ବୟାନକୁ ନେଇ ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ କଟାକ୍ଷ କରି ପ୍ରତିକ୍ରିୟା ରଖିଥିଲେ । କେନ୍ଦ୍ର କୃଷିମନ୍ତ୍ରୀଙ୍କ ବୟାନ ଭିତ୍ତିହୀନ ବୋଲି କହିଥିଲେ ପ୍ରସନ୍ନ । ସେ କହିଥିଲେ "କେନ୍ଦ୍ରମନ୍ତ୍ରୀ ଏତେ ଅନଭିଜ୍ଞ କିଭଳି ହୋଇପାରନ୍ତି ଏବଂ ନିଜ ଦୋଷ ଲୁଚାଇବା ପାଇଁ ଏଭଳି ରାଜ୍ୟ ସରକାରଙ୍କ ଉପରେ ଦୋଷ ଦିଆଯାଇଛି ।" ସେହିଭଳି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଥିବା କହିଥିଲେ । ବହୁବର୍ଷ ଧରି ବନ୍ଦ ପଡିଥିବା ବରଗଡ଼ -ନୂଆପଡା ରେଳ ପଥ ଉପରେ ପ୍ରତିକ୍ରିୟା ଦେଇ କହିଥିଲେ, "ରାଜ୍ୟ ସରକାର କାଲି ଜାଗା ଦିଅନ୍ତୁ ଆମେ ପରଦିନ କାମ ଆରମ୍ଭ କରିବୁ ।" ଏହାକୁ ମଧ୍ୟ ବିଜେଡି ଖଣ୍ଡନ କରିଥିଲା । କେନ୍ଦ୍ର ସରକାର ନିଜେ କୌଣସି ପ୍ରକାର ରେଳ ପଥ ନିର୍ମାଣ ପାଇଁ ଚିଠି କରିନାହାନ୍ତି, ବରଂ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି କରିଥିବା କହିଥିଲେ ପ୍ରସନ୍ନ ଆଚାର୍ଯ୍ୟ ।
ଏହା ମଧ୍ୟ ପଢ଼ନ୍ତୁ...ଅଶ୍ବିନୀଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲା ବିଜେଡି, ପାଲଟା ପ୍ରତ୍ୟାରୋପ କଲେ ପ୍ରସନ୍ନ ଆଚାର୍ଯ୍ୟ