ଭୁବନେଶ୍ବର/ରାଉରକେଲା: ଜାଡ଼ରେ ଥରୁଛି ସାରା ଓଡିଶା । ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ହାଡଭଙ୍ଗା ଶୀତରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ବିଭିନ୍ନ ଜିଲ୍ଲାରେ ଶୀତର ପ୍ରକୋପ ଜାରି ରହିଛି । କୋହଳା ପାଗ ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ତେବେ ଆଗାମୀ ୩ରୁ ୪ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଶୀତର ଲହର କମିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ରାଉରକେଲା NITକୁ ଆସିବା ଅବସରରେ ରାଜ୍ୟରେ ଜାରି ରହିଥିବା ଶୀତର ପ୍ରକୋପ ନେଇ ପ୍ରତିକ୍ରିୟା ରଖିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।
ଆସନ୍ତା ୩ ରୁ ୪ ଦିନ ପାଗ ଶୁଖିଲା ରହିବ- ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚଆର ବିଶ୍ବାସ କହିଛନ୍ତି, "ରାଜ୍ୟରେ ଆସନ୍ତା ୩ ରୁ ୪ ଦିନ ପାଗ ଶୁଖିଲା ରହିବ । ଶୀତ କମିବା ସହ ରାତିରେ ସ୍ବଭାବିକ ଠାରୁ ୩ରୁ ୪ ଡିଗ୍ରୀ ତାପମାତ୍ରା ବଢିବ । ଆଗାମୀ ଦୁଇ ଦିନ ଧରି ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡି ଦେଖାଯିବାର ସମ୍ଭାବନା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ସିମିଲିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୭ ଡିଗ୍ରୀ ରହିଥିଲା । ସେହିପରି ଫୁଲବାଣୀରେ ୪.୯ ଡିଗ୍ରୀ, ଜି ଉଦୟଗିରିରେ ୫ ଡିଗ୍ରୀ, କୋରାପୁଟରେ ୬.୫ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ଗତକାଲି ୧୨.୫ ଏବଂ କଟକରେ ୧୨.୪ ଡିଗ୍ରୀ ତାପମାତ୍ରା ରହିଥିଲା ।" ତେବେ ଏଭଳି ପାଗ ୪ରୁ ୫ ଦିନ ପର୍ଯ୍ୟନ୍ତ ରହିବା ସହ ରାଜ୍ୟରେ ଅଧିକ କୋଲ୍ଡ ୱେଭର ସମ୍ଭାବନା ନଥିବା କହିଛି ବିଭାଗ ।
ଜାନୁଆରୀ ୧୧ରୁ ୧୩ ମଧ୍ୟରେ ବର୍ଷା ସମ୍ଭାବନା- ସେହିପରି ଉତ୍ତର ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପ ରହିଛି । ବିଶେଷତଃ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଉଛି ଏବଂ ସର୍ବନିମ୍ନ ତାପମାତ୍ରା ୫ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି । ଏଭଳି ସ୍ଥିତି କିଛିଦିନ ଲାଗି ରହିବ । ବର୍ତ୍ତମାନ ଯାଏଁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତୁଷାରପାତର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ତେବେ ଦିନେ ଦୁଇ ଦିନ ପରେ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବା ନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଆସନ୍ତା ଜାନୁଆରୀ ୧୧ରୁ ୧୩ ତାରିଖ ମଧ୍ୟରେ ବର୍ଷାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି ।