ରାଉରକେଲା: ଶ୍ରମିକ ବିରୋଧୀ ଚୁକ୍ତିନାମାକୁ ବିରୋଧ । ରାଉରକେଲା ଶ୍ରମିକ ସଂଘ ,ଗାଙ୍ଗପୁର ମଜଦୁର ମଞ୍ଚ ଓ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା ଏକ ତ୍ରିପାକ୍ଷିକ ଚୁକ୍ତିନାମା ଗତ ୨୯ ତାରିଖରେ ମଞ୍ଜୁରୀ ହୋଇଥିଲା । ହେଲେ ଏହି ଚୁକ୍ତିନାମା ଶ୍ରମିକଙ୍କୁ ଅନ୍ଧାରକୁ ଠେଲି ଦେଇଛି ବୋଲି ଅଭିଯୋଗ କରିଛି ଭାରତୀୟ ମଜଦୂର ସଙ୍ଘ । ତେଣୁ ଏହାକୁ ବିରୋଧ କରି ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଏହି ତ୍ରିପାକ୍ଷିକ ଚୁକ୍ତିନାମା ଶ୍ରମିକଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରିଛି । ଆରଏସ୍ପିରେ ୧୦୨ଟି ବିଭାଗ ଏବଂ ୫ଟି ମାଇନ୍ସକୁ ମିଶାଇଲେ ୧୦୭ଟି ବିଭାଗ ଅଛି । ସମସ୍ତ ବିଭାଗର ଲାଇନ୍ ଅଫ୍ ପ୍ରମୋଶନ( ଏଲ୍ଓପି) ଅଲଗା ଥାଏ ଏବଂ ବିଭିନ୍ନ ବିଭାଗରେ ଅନେକ ଏଲ୍ଓପି ରହିଥାଏ । ଯେପରି ମେକାନିକାଲ, ଇଲେକ୍ଟ୍ରିକାଲ ଓ ଅପରେସନ ବିଭାଗ ଇତ୍ୟାଦିରେ ବିଭିନ୍ନ ପ୍ରକାର ଲାଇନ ଅଫ ପ୍ରମୋଶନ ରହିଥାଏ । ଗୋଟିଏ ଏଲ୍ଓପିରେ ଥିବା କର୍ମଚାରୀ କିପରି ସାଧାରଣ ପ୍ରମୋଶନ ଏବଂ କ୍ଲଷ୍ଟର ପ୍ରମୋଶନ ପାଇବେ ସେ ବିଷୟରେ ବିବରଣୀ ଦିଆଯାଇଥାଏ । ସାଧାରଣତଃ ଗୋଟିଏ ବିଭାଗରୁ ଅଲଗା ବିଭାଗକୁ ବଦଳି ମଧ୍ୟ ହୁଏନାହିଁ । ଯଦି କାହାକୁ ଟାର୍ଗେଟ୍ କରି ବଦଳି କରାଯାଏ ତେବେ ତାହା ଆରଏଲ୍ସିଙ୍କ ନିକଟରେ ଶିଳ୍ପ ବିବାଦ ମାଧ୍ୟମରେ ସମାଧାନ ହୋଇଥାଏ । କିନ୍ତୁ ସଦ୍ୟ ଚୁକ୍ତିନାମା ବଦଳି ନହେବାର କବଚକୁ ଭାଙ୍ଗି କର୍ତ୍ତୃପକ୍ଷଙ୍କ ହାତରେ ଶ୍ରମିକଙ୍କ ଚୁଟି ଧରାଇ ଦିଆଗଲା ବୋଲି ଅଭିଯୋଗ କରିଛି ସଙ୍ଘ ।