ରାଉରକେଲା:ଏବେବି ସନ୍ଦେହ ଘେରରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ଘଟଣା। କେମିତି ହେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ? ଏହା ହତ୍ୟା ନା ଆତ୍ମହତ୍ୟା, ଦୁଶ୍ଚିନ୍ତା ନା ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି ଆସିଷ୍ଟାଣ୍ଟ କଲେକ୍ଟର । ମୃତ୍ୟୁର ଏକ ସପ୍ତାହ ପରେ ବି ରହସ୍ୟ ଉପରୁ ହଟୁନି ପରଦା । ଅନ୍ୟପଟେ ସୁସ୍ମିତାଙ୍କ ମୃତ୍ୟୁ ପଛରେ ସୁନ୍ଦରଗଡ଼ ଜିଲ୍ଲାପାଳ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ହାତ ଥିବା ଅଭିଯୋଗ ହେଇଛି । ସୁସ୍ମିତାଙ୍କୁ ନିର୍ଯାତନା ଦେଇ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ସିବିଆଇ ତଦନ୍ତ ପାଇଁ ଦାବି କରିଛି ଆଦିବାସୀ ସଂଘ ।
ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ତେଣୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ମୃତ ସୁସ୍ମିତାଙ୍କ ପରିବାର ଲୋକେ । ଏପଟେ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବାକୁ ବିକ୍ଷୋଭ ଓ ଗଣଆନ୍ଦୋଳନ ଜାରି ରହିଛି । ରାଉରକେଲା ଏଡିଏମ୍ ଅଫିସ ଆଗରେ ସୁନ୍ଦରଗଡ଼ ଆଦିବାସୀ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନ କିନ୍ତୁ ଶୂନ । କାହିଁକି ବର୍ତ୍ତମାନ ସୁଦ୍ଧା ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିପାରୁନି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୁସ୍ମିତାଙ୍କ ମୃତ୍ୟୁପାଇଁ ଆଦିବାସୀ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି । ଏଥିସହ ସିବିଆଇ ତଦନ୍ତ ପାଇଁ ଦାବି କରିଛି ଆଦିବାସୀ ସଂଘ ।